ଦିଲ୍ଲୀରେ ଡିଜେଲ ବାହାନ ଉପରେ ରୋକ୍ : କେଜ୍ରିଓ୍ୱାଲ ସରକାରଙ୍କ ବଡ ନିଷ୍ପତ୍ତି ପରେ ଚିନ୍ତାରେ ପରିବହନ ବ୍ୟବସାୟୀ

ନୂଆଦିଲ୍ଲୀ ୨୫/୦୬: ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ଅକ୍ଟୋବରରୁ ଫେବ୍ରୁଆରୀ ଯାଏଁ ଡିଜେଲ ଚାଳିତ ବାହାନ ଉପରେ ସରକାର ରୋକ୍ ଲଗାଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ପରିବହନ ଶିଳ୍ପର ବ୍ୟବସାୟୀମାନେ ଜୋରଦାର ବିରୋଧ କରିଛନ୍ତି । ଦିଲ୍ଲୀ ଗୁଡସ୍ ଟ୍ରାନ୍ସଫୋର୍ଟ ଅର୍ଗାନାଇଜେସନର ଅଧ୍ୟକ୍ଷ ରାଜେନ୍ଦ୍ର କପୁର କହିଛନ୍ତି ଯେ, ଦିଲ୍ଲୀକୁ ଦୈନିକ ଦେଢ ଲକ୍ଷ ବାହାନ ବିଭିନ୍ନ ରାଜ୍ୟରୁ ଆସିଥାନ୍ତି । ୯୦ ହଜାର ଗାଡି ସୀମା ବାହାରେ ରହିଥାନ୍ତି ଓ ୫୦ରୁ ୬୦ ହଜାର ବାହାନ ଦିଲ୍ଲୀରେ ପ୍ରବେଶ କରିଥାନ୍ତି । ଯଦି ଏହାକୁ ବନ୍ଦ କରାଯିବ ତେବେ ବ୍ୟବସାୟ ଓ କାରବାର ପ୍ରଭାବିତ ହେବ । କୋଟିକୋଟି ଟଙ୍କାର ବ୍ୟବସାୟୀମାନେ କ୍ଷତି ସହିବେ । ଏହାସହ ଅନେକ ବେରୋଜଗାର ହେବେ । ଦିଲ୍ଲୀ ସରକାର ପୂର୍ବରୁ ବାୟୁ ପ୍ରଦୂଷଣ ପାଇଁ ସର୍ବଦା ପରିବହନ ଶିଳ୍ପକୁ ଦାୟୀ କରି ଆସୁଛନ୍ତି । ତେବେ ଏହାର ପ୍ରକୃତ କାରଣ ବିଭିନ୍ନ କନଷ୍ଟ୍ରକସନ୍ କମ୍ପାନୀ ଓ ବିଭିନ୍ନ ଅଞ୍ଚଳରେ ଚାଲୁଥିବା ଶିଳ୍ପ ଓ କାରଖାନା ଅଟେ । କିନ୍ତୁ ସରକାର ଏସବୁ ଉପରେ କୌଣସି ପ୍ରତିବନ୍ଧକ ଲଗାଉନଥିବା ରାଜେନ୍ଦ୍ର କପୁର କହିଛନ୍ତି । ଏହାସହ ପରିବହନ ଶିଳ୍ପରେ ନିୟୋଜିତ କର୍ମକର୍ତ୍ତା ଉପ ରାଜ୍ୟପାଳଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ରାଜ୍ୟପାଳ ନିଜର ସ୍ୱତନ୍ତ୍ର ଅଧିକାର ଜରିଆରେ ସରକାରଙ୍କ ନିଷ୍ପତ୍ତିକୁ ଫେରସ୍ତ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

Leave A Reply

Your email address will not be published.