ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ରଥାରୂଢ ହେଲେ ଚତୁର୍ଦ୍ଧା ବିଗ୍ରହ

ପୁରୀ ୦୧।୦୭ : ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ ଓ ଭଗବାନଙ୍କ ମିଳନ। ତେବେ ପହଣ୍ଡି ବିଜେର ଆସି ରଥାରୂଢ ହେଲେ ଚତୁର୍ଦ୍ଧାବିଗ୍ରହ। ପ୍ରଥମେ ରଥାରୂଢ ହୋଇଛନ୍ତି ଶ୍ରୀସୁଦର୍ଶନ। ଏହାପରେ ତାଳଧ୍ଵଜ ରଥରେ ବିରାଜମାନ ହୋଇଛନ୍ତି ବଳଭଦ୍ର। ପରେ ପରେ ଦେବଦଳନ ରଥରେ ବିଜେ କରିଛନ୍ତି ଦେବୀ ସୁଭଦ୍ରା ଓ ଶେଷରେ ରାଥାରୂଢ ହୋଇଛନ୍ତି କାଳିଆ ଠାକୁର। ଦୁଇ ବର୍ଷ କାଳ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଥିଲା କରୋନା । ଦୁଇବର୍ଷ ପରେ ଘଣ୍ଟ, ଘଣ୍ଟା, କାହାଳୀ ନାଦରେ ପୁଣି ଦୁଲୁକୁଛି ବଡ଼ଦାଣ୍ଡ । ପତିତପାବନ ଯାତ୍ରାରେ ଶରଧାବାଲି ଜନ୍ମବେଦିକୁ ବିଜେ କରିବେ ଶ୍ରୀଜିଉ। ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡ଼ଦାଣ୍ଡ। ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ମୁଖରିତ ହୋଇଛି ବଡ଼ଦାଣ୍ଡ। ରଥଯାତ୍ରା ପାଇଁ ପୁରୀରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁରୀର ସମସ୍ତ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ପୂରା ସହର ଉପରେ ନଜର ରଖିଛି ସିସିଟିଭି । ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ରେ ପ୍ରତିଟି ଗାଡ଼ି ସହ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି ପୋଲିସ ଟିମ୍‌ । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପୁରୀରେ ୧୮୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିବା ବେଳେ ୧ ହଜାର ବଛା ବଛା ଅଧିକାରୀ, ସାଧା ପୋଷାକଧାରୀ ପୋଲିସ, ବମ୍‌ ସ୍କ୍ବାର୍ଡ଼, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.