ଋଣ ଟଙ୍କାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା, ରଶି ଲଗାଇ ଝୁଲିପଡିଲେ ଦୀନବନ୍ଧୁ

ଯାଜପୁର ୧୫।୦୭: ଋଣ ଟଙ୍କା ସୁଝିବାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ପରେ ଆତ୍ମହତ୍ୟା କଲେ ସ୍ବାମୀ। ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ସାପଗଡ଼ିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ପରେ ବେକରେ ରଶି ଲଗାଇ ସ୍ବାମୀ ଆତ୍ମହତ୍ୟା କହିଛନ୍ତି। ମୃତକ ଦୀନବନ୍ଧୁ ମଣ୍ଡଳ ବୋଲି ଜଣାପଡିଛି। ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ଦୀନବନ୍ଧୁ ମଣ୍ଡଳ ତାଙ୍କ ସ୍ତ୍ରୀ ଓ ୩ ପିଲାଙ୍କୁ ସହ ସାପଗଡ଼ିଆ ଅଞ୍ଚଳରେ ବସବାସ କରନ୍ତି। ଦୀନବନ୍ଧୁ ଜଣେ ଦିନ ମଜୁରିଆ ହୋଇଥିବା ବେଳେ କୌଣସି କାରଣରୁ ସେ କିଛିଦିନ ହେବ କାମକୁ ନଯାଇ ଘରେ ରହୁଥିଲେ। ତେବେ ଅଭାବ ଅନଟନ କାରଣରୁ ଏକ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରୁ ତାଙ୍କ ସ୍ତ୍ରୀ ଋଣ ଆଣିଥିଲେ। ହେଲେ ରୋଜଗାର ନଥିବାରୁ ଋଣ ପରିଶୋଧ କରିପାରୁ ନଥିଲେ ଦମ୍ପତି। ଏନେଇ ପୂର୍ବରୁ ମଧ୍ୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଥିଲା। ତେବେ ଗୁରୁବାର ଅପରାହ୍ନରେ ଋଣ ପ୍ରଦାନକାରୀ ସଂସ୍ଥାର ଏଜେଣ୍ଟ ଘରକୁ ଆସି ଟଙ୍କା ମାଗିବାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ରାତିରେ ସ୍ବାମୀ ଦୀନବନ୍ଧୁ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.