ମୋବାଇଲ୍ ଆପ୍‌ ଜରିଆରେ ଋଣ ନେଇ ଫସିଗଲେ ବ୍ୟବସାୟୀ, ପ୍ରାୟ ୧୦ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ

ସୁନ୍ଦରଗଡ ୧୯।୭: ସାବଧାନ, ମାତିଛନ୍ତି ସାଇବର ଠକ । ଅନଲାଇନରେ ଆଖି ପିଛୁଳାକେ ନେଇ ଯାଉଛି ଲକ୍ଷ ଲକ୍ଷ ଟଙ୍କା । ଶିକ୍ଷିତ ଓ ଦକ୍ଷ ବ୍ୟବସାୟୀ ମଧ୍ୟ ବାଦ ପଡୁ ନାହାନ୍ତି ଏପରି ଠକଙ୍କ ପଞ୍ଝାରୁ । ଏଭଳି ସାଇବର ଠକେଇ ଘଟଣା ଘଟିଛି ସୁନ୍ଦରଗଡ ସହର ଡଂଗିଭୋଡି ଅଞ୍ଚଳରେ । ଜଣେ ଯୁବ ବ୍ୟବସାୟୀ ମୋବାଇଲ ଆପ୍ ବ୍ୟବହାର କରି ଋଣ ନେଇଥିବା ବେଳେ ପରେ ଠକାମୀର ଶିକାର ହୋଇ ପୈଠ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ଡେଙ୍ଗିଭାଡିର ଯୁବ ବ୍ୟବସାୟୀ ମହମ୍ମଦ ଖୁରସୀଦ ନିଜ ବ୍ୟବସାୟ ପାଇଁ କିଛି ମୋବାଇଲ ଆପ୍‌ରୁ ଋଣ ନେଇଥିଲେ । ଏଥିପାଇଁ ତାଙ୍କୁ ଅନଲାଇନ ଫର୍ମ ପୂରଣ କରିବା ସହ ଅପଲୋଡ୍ କରିବାକୁ ପଡିଥିଲା ନିଜର ଫଟୋ, ଆଧାର କାର୍ଡ, ପାନ୍ କାର୍ଡ ପରି ଦସ୍ତାବିଜ। ତବେ ଋଣ ପରିଶୋଧରେ ସାମାନ୍ୟ ବିଳମ୍ବ ହେବାରୁ ତାଙ୍କୁ ଦୁଇ ଗୁଣ ସୁଧ ସହ ମୋଟା ଅଙ୍କର ଫାଇନ୍ ଦେବାକୁ କହିଥିଲେ ଋଣଦାତା । ଖୁରସୀଦ୍ ନିଜ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହାୟତାରେ ସମସ୍ତ ଋଣ ପରିଶୋଧ କରି ଦେଇଥିଲେ। ଏହାପରେ ଋଣଦାତାମାନେ ଚୁପ୍ ହୋଇ ରହିଥିଲେ।  ତବେ ଦୁଇ ମାସ ପରେ ପୁଣି ଋଣଦାତା ତାଙ୍କୁ ହ୍ବାଟସଆପ୍ ଓ ଫୋନ୍ ଜରିଆରେ ଆହୁରି ଟଙ୍କା ଦେବା ପାଇଁ କହିଥିଲେ। ଖୁରସୀଦ୍ ଏଥିରେ ରାଜି ନହେବାରୁ ସେମାନେ ତାଙ୍କ ଫଟୋ ସହ ଅଶ୍ଳୀଳ ମନ୍ତବ୍ୟ ଲେଖି ତାଙ୍କ ସମ୍ପର୍କୀୟମାନଙ୍କୁ ପଠାଇଥିଲେ । ଧମକ ଦେଇଥିଲେ ଯେ, ସେହିପରି ଅଶ୍ଳୀଳ ମନ୍ତବ୍ୟ ଓ ଇସ୍ତାହାର ଥିବା ଫଟୋ ସେମାନେ ଇଂଟରନେଟ୍‌ରେ ଭାଇରାଲ କରିଦବେ। ବ୍ଲାକମେଲରମାନେ କୌଣସି ପ୍ରକାରରେ ତାଙ୍କ ମୋବାଇଲ ଫୋନର କଣ୍ଟାକ୍ଟ ନମ୍ବର ଗୁଡିକୁ ହ୍ୟାକ୍ କରି ସେମାନଙ୍କୁ ମଧ୍ୟ ଏପରି ଅଶ୍ଳୀଳ ଫଟୋ ଓ ଲେଖା ପଠାଇବା ଆରମ୍ଭ କରି ଦେଇଥିଲେ। ବାଧ୍ୟ ହୋଇ ଖୁରସୀଦ ସେମାନଙ୍କୁ ଆହୁରି ଟଙ୍କା ଦେଇଥିଲେ। ପାଖାପାଖି ୧୦ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ସେ ଋଣଦାତାଙ୍କ ବ୍ଲାକମେଲିଂରୁ ରକ୍ଷା ପାଇ ନଥିଲେ। ଏ ନେଇ ସେ ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।  ତେବେ ଖୁରସୀଦଙ୍କ ପାଖକୁ ବର୍ତ୍ତମାନ ମଧ୍ୟ ହ୍ବାଟସ୍‌ଆପ୍‌ରେ ଧମକ ଚମକ ଦିଆଯାଉଥିବା ଏବଂ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ଜାରି ରହିଛି । ଏହି ଘଟଣାରେ ଗଭୀର ମାନସିକ ଆଘାତ ଭୋଗ କରିଥିବା ଖୁରସୀଦ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ ।

Leave A Reply

Your email address will not be published.