ସଜନାଗଡ଼ ଆରଆଇଙ୍କୁ ଆକ୍ରମଣ ଘଟଣା: ପଥରଖାଦାନ ଓ ମାଫିଆଙ୍କ ଘରେ ଚଢ଼ାଉ, କମ୍ପ୍ରେସର, ଟ୍ରାକ୍ଟର, ଜିପ୍ ଓ ଯନ୍ତ୍ରାଂଶ ଜବତ
ନୀଳଗିରି,୨୬/୭: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ଵୃଦ୍ଧି ହେବାରେ ଲାଗିଛି। ନୀଳଗିରି ତହସିଲ ଅଧିନ ବାଘମରା ଅଞ୍ଚଳରେ ଗତକାଲି ବ୍ଲାଷ୍ଟିଙ୍ଗ କରି ପଥର ଚୋରି ହେଉଥିବା ନେଇ ତହସିଲଦାରଙ୍କ ନିର୍ଦ୍ଦେଶରେ ସଜନାଗଡ଼ ଆରଆଇ କେଏସ ସନ୍ତୋଷ କୁମାରଙ୍କୁ ଘଟଣାସ୍ଥଳକୁ ତଦନ୍ତ କରିବାକୁ ଯାଇ ଫଟୋ ଉତ୍ତଳନ କରିଥିଲେ। ଫେରିବା ସମୟରେ ତାଙ୍କୁ ପଥର ମାଫିଆ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ପୋଡାଶୂଳ ଅଞ୍ଚଳର ବିଶ୍ୱନାଥ ଦାସ ଓ ତାଙ୍କ ପୁଅ ଏହି ଆକ୍ରମଣ କରିଥିବା ଅଭିଯୋଗ ନୀଳଗିରି ଥାନାରେ ହୋଇଥିଲା । ପୂର୍ବରୁ ବେଆଇନ ବିସ୍ଫୋରକ ଦ୍ରବ୍ୟରେ ପଥର ବ୍ଲାଷ୍ଟିଙ୍ଗ ଭଳି ଅଭିଯୋଗ ଥାନାରେ ରହିଥିଲା । ଆଜି ନୀଳଗିରି ଉପଜିଲ୍ଲାପାଳ, ତହସିଲଦାର ଓ ଆଇଆଇସି ପୋଲିସ ଫୋର୍ସ ନେଇ ଚୋରାଖାଦାନ ଓ ଆକ୍ରମଣ କରିଥିବା ମାଫିଆଙ୍କ ଘରେ ଚଢ଼ାଉ କରିଥିଲେ। କମ୍ପ୍ରେସର ମେସିନ, ଟ୍ରାକ୍ଟର, ଜିପ ସହ ବହୁ ଯନ୍ତ୍ରାଂଶ ଜବତ ହୋଇଥିବା ଜଣାପଡିଛି। ଏଭଳି ଚଢ଼ାଉ ପରେ ପଥର ମାଫିଆମାନଙ୍କ ଭିତରେ ଛନକା ପଶିଥିବା ଜଣାପଡିଛି ।