ହେରାଲ୍ଡ ମନି ଲଣ୍ଡରିଂ ମାମଲା, ସୋନିଆ ଗାନ୍ଧିଙ୍କୁ ତୃତୀୟ ଥର ଜେରା କରିବ ED

ନୂଆଦିଲ୍ଲୀ ୨୭/୦୭: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ସୋନିଆ ଗାନ୍ଧିଙ୍କୁ ତୃତୀୟ ଥର ଆଜି ଜେରା କରିବ ED । ପ୍ରଥମ ଦିନ ୩ ଘଣ୍ଟା, ଗତକାଲି ୬ ଘଣ୍ଟାର ଜେରା ପରେ ଆଜି ପୁଣି ଜେରା କରିବ । ଆଜି ପୁଣିଥରେ ଜେରା ପାଇଁ ସମନ କରାଯାଇଛି। ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କା ଗାନ୍ଧିଙ୍କ ସହ ସୋନିଆ ଗତକାଲି ପୂର୍ବାହ୍ନ ୧୧ଟା ସମୟରେ ଇଡି ଅଫିସରେ ପହଞ୍ଚିଥିଲେ। ତେବେ ରାହୁଲ ସେଠାରୁ ତୁରନ୍ତ ଫେରି ଯାଇଥିଲେ। ପ୍ରିୟଙ୍କା ଇଡି ଅଫିସ୍ ର ଅନ୍ୟ ଏକ ରୁମ୍ ରେ ବସିଥିଲେ। ସୋନିଆ ନିକଟରେ କରୋନାରୁ ସୁସ୍ଥ ହୋଇଥିବାରୁ ପ୍ରିୟଙ୍କାଙ୍କୁ ତାଙ୍କ ସହ ରହିବାପାଇଁ ଅନୁମତି ଥିଲା । ୧୧.୧୫ରେ ସୋନିଆଙ୍କୁ ଜେରା ଆରମ୍ଭ ହୋଇଥିଲା। ଏଥିପାଇଁ ସମସ୍ତ କରୋନା ସୁରକ୍ଷା ନିୟମାବଳି ପାଳନ ହୋଇଥିଲା । ୨ଘଣ୍ଟା ଜେରା ପରେ ସୋନିଆ କିଛି ସମୟ ବିରତି ନେଇଥିଲେ । ତାଙ୍କୁ ପୁଣିଥରେ ଅପରାହ୍ନ ୩.୩୦ରେ ଜେରା ଆରମ୍ଭ ହୋଇଥିଲା । ସୋନିଆଙ୍କୁ ଜୁଲାଇ ୨୧ରେ ପ୍ରଥମ ପର୍ଯ୍ୟାୟରେ ଜେରା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ପାଖାପାଖି ୩ ଘଣ୍ଟା ଜେରା କରାଯାଇଥିଲା । ସୋନିଆଙ୍କୁ ଇଡି ଜେରାକୁ ବିରୋଧ କରି ଦିଲ୍ଲୀ ସମେତ ବିଭିନ୍ନ ସହରରେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଦଳର ଅନ୍ୟ ସାଂସଦମାନେ ବିଜୟ ଚୌକ ନିକଟରେ ରାସ୍ତାରେ ବସି ଆନ୍ଦୋଳନ କରିଥିବା ବେଳେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିଲା। ରାହୁଲଙ୍କ ସମେତ ପ୍ରାୟ ୫୦ ସାଂସଦଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖି ସନ୍ଧ୍ୟାରେ ଛାଡ଼ିଥିଲେ।

Leave A Reply

Your email address will not be published.