ସପ୍ତାହେ ଯାଏଁ ହାଲୁକା ବର୍ଷା, ୨ ତାରିଖରୁ ବର୍ଷା ବଢିପାରେ

ଭୁବନେଶ୍ୱର ୨୭।୦୭ : ଆସନ୍ତା ସପ୍ତାହ ଯାଏଁ ରାଜ୍ୟରେ ହାଲୁକା ଓ ବିକ୍ଷିପ୍ତ ବର୍ଷା ହେବ। ସ୍ୱାଭାବିକଠାରୁ ପ୍ରାୟ ୫୦% କମ୍‌ ବର୍ଷା ହେବ। ଏହି ସମୟରେ ରାଜ୍ୟରେ ମାତ୍ର ୪୦ ମି.ମି ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା.ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ପ୍ରଫେସର ଡ. ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ଉପକୂଳରେ ସବୁଠୁ କମ୍‌ ବର୍ଷା ହେବ। ପୁରୀରୁ ଭଦ୍ରକ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ଥାନେ ସ୍ଥାନେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ମୌସୁମୀ ନିଷ୍କ୍ରିୟ ରହିବ । ରାଜ୍ୟକୁ ଆରବ ସାଗରୀୟ ପବନ ବହିବ । ଏହାକୁ ମନସୁନ୍‌ ବ୍ରେକ୍‌ ବା ମୌସୁମୀରେ ବିରାମ ସ୍ଥିତି କୁହାଯିବ । ସେବେ ଯାଏଁ ରାଜ୍ୟରେ ବିଶେଷ ବର୍ଷା ହେବନି । ରାଜସ୍ଥାନ, ପଞ୍ଜାବ ଓ ସଂଲଗ୍ନ ଉତ୍ତମ ପଶ୍ଚିମ ଭାରତରେ ଲଘୁଚାପ ପ୍ରଭାବରେ ଭାରି ବର୍ଷା ହେବ। ମୌସୁମୀ ଟ୍ରଫ୍‌ ମଧ୍ୟ ରହିବନି। ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଇଁବ । ଏହାର ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ବର୍ଷା ବଢିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Leave A Reply

Your email address will not be published.