ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି, ସଂସଦ ଭବନକୁ କବଜା କଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୨୮|୦୭: ଇରାକରେ ଏବେ ଶ୍ରୀଲଙ୍କା ଭଳି ସ୍ଥିତି ଦେଖିବାକୁ ମିଳିଛି । ବାଗଦାଦରେ ବୁଧବାର ଆକ୍ରୋଶିତ ଲୋକେ ସଂସଦ ଭବନ କବଜା କରି ନେଇଛନ୍ତି । ଅଲଜଜୀରାର ରିପୋର୍ଟ ଅନୁସାରେ, ଅଧିକାଂଶ ପ୍ରଦର୍ଶନକାରୀ ଇରାକ ସିୟା ନେତା ମୁକ୍ତଦା ଅଲ ସଦରଙ୍କ ସମର୍ଥକ ଅଟନ୍ତି । ସେମାନେ ପ୍ରଧାନମନ୍ତ୍ରୀ ପଦ ପାଇଁ ମହମ୍ମଦ ସିୟା ଅଲ ସୁଦାନୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଛନ୍ତି । ପ୍ରଦର୍ଶନକାରୀ ବୁଧବାର ବାଗଦାଦର ସବୁଠୁ ସୁରକ୍ଷିତ ସ୍ଥାନ, ସରକାରୀ ଭବନ, ରାଜନେତାଙ୍କ ଘର କବଜା କରିବା ସହ ସଂସଦରେ ପ୍ରବେଶ କରିଥିଲେ । ତେବେ ସେହି ସମୟରେ କୌଣସି ସାଂସଦ ଗୃହରେ ନଥିଲେ । କେବଳ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ ।ସେମାନେ ମଧ୍ୟ ପ୍ରଦର୍ଶନକାରୀଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇଥିଲେ । ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ବିକ୍ଷୋଭକାରୀମାନେ ହାତରେ ସିୟା ନେତା ଅଲ ସଦରଙ୍କ ଫଟୋ ଧରିଥିଲେ । ପୋଲିସ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲା । ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ ମଧ୍ୟ ଲାଭ ହୋଇନଥିଲା । ଧିରେଧିରେ ବିରୋଧ ପ୍ରଦର୍ଶନ ବେଳର ଫଟୋ ସାମ୍ନାକୁ ଆସିବାରେ ଲାଗିଛି । ଏଥିରେ ହଜାର ହଜାର ଲୋକେ କିପରି ସଂସଦ ଭବନକୁ କବଜା କରିଛନ୍ତି ତାହା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ କଦମୀ ବିରୋଧ ପ୍ରଦର୍ଶନକାରୀଙ୍କୁ ଗ୍ରୀନ୍ ଜୋନ୍ ଖାଲି କରିବାକୁ କହିଛନ୍ତି ।  ସୁରକ୍ଷା ପାଇଁ ସବୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ଅଲ ସଦରଙ୍କ ଗୋଷ୍ଠୀ ଅକ୍ଟୋବର ୨୦୨୧ ସାଧାରଣ ନିର୍ବାଚନରେ ୭୩ ଆସନ ଜିତିଥିଲା । ୩୨୯ ସାଂସଦ ବିଶିଷ୍ଟ ଗୃହରେ ସେମାନେ ବଡ ଦଳ ଭାବେ ଉଭା ହୋଇଥିଲେ । ତେବେ ବହୁମତ ପ୍ରମାଣ କରିନପାରିବାରୁ ସେ ସରକାରରୁ ଓହରି ଯାଇଥିଲେ ।  

Leave A Reply

Your email address will not be published.