ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ, ଶୀଘ୍ର ହେବେ ଡିସଚାର୍ଜ

ନୂଆଦିଲ୍ଲୀ: ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେରଳର ଥିରୁଅନନ୍ତପୁରମ ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଶନିବାର ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ହସ୍ପିଟାଲରୁ ଡିସଚାର୍ଜ କରାଯିବା ପୂର୍ବରୁ ବ୍ୟକ୍ତିଙ୍କ ନମୂନା ଦୁଇ ଥର ପରୀକ୍ଷା କରାଯାଇଥିଲା । ପୁନେ ସ୍ଥିତ ଏନଆଇଭିରେ ୭୨ ଘଣ୍ଟା ବ୍ୟବଧାନରେ ଦୁଇ ଥର ନମୂନା ପରୀକ୍ଷଣ କରାଯାଇଥିଲା ଏବଂ ଉଭୟରେ ତାଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି । ରୋଗୀ ଜଣକ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି । ଶରୀରରେ ଦେଖା ଦେଇଥିବା ଚିହ୍ନ ମଧ୍ୟ ଲିଭି ସାରିଛି। କୋଲାମ ଜିଲ୍ଲୀର ୩୫ ବର୍ଷୀୟ ଯୁବକ ଗତ ଜୁଲାଇ ୧୨ ତାରିଖରେ ୟୁଏଇରୁ ରାଜ୍ୟକୁ ଫେରିଥିଲେ । ଏହାପରେ ସେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ନିକଟରେ ମଙ୍କିପକ୍ସର ଲକ୍ଷଣ ପ୍ରକାଶ ପାଇଥିଲା । ଜୁଲାଇ ୧୪ରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ପରେ ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଇଥିଲା।

Leave A Reply

Your email address will not be published.