ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ପ୍ରଜନନ ପାଇଁ ୩ ମାସ ଧରି ଥିଲା ବନ୍ଦ

ପଟ୍ଟାମୁଣ୍ଡାଇ ୦୧।୦୮:  ଦୀର୍ଘ ୩ ମାସ ପରେ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ଋତୁ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିଲା। ଭିତରକନିକା ଖୋଲୁଥିବାରୁ ଏଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୁପ୍ତି ଓ ଡାଙ୍ଗମାଳରେ ପର୍ଯ୍ୟଟକମାନେ ରାତ୍ରିଯାପନ କରିପାରିବେ । ଏଥିପାଇଁ ୱେବସାଇଟ୍‌ ଖୋଲା ଅଛି । ମାତ୍ର ହବାଳିଖଟିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ପୂର୍ବରୁ କେବଳ ରାତ୍ରିଯାପନ କରୁଥିବା ପର୍ଯ୍ୟଟକମାନେ ହବାଳିଖଟି ଯାଉଥିଲେ । ହବାଳିଖଟିରେ ଥିବା ଡଲଫିନ୍‌ ହାଉସ ନିକଟକୁ ସମୁଦ୍ର ମାଡ଼ି ଆସିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କିଛିଦିନ ପର୍ଯ୍ୟନ୍ତ ହବାଳିଖଟିରେ ରାତ୍ରିଯାପନ ବନ୍ଦ କରାଯାଇଛି । ବର୍ଷା ଦିନେ ସମୁଦ୍ର ଅଧିକ ଅଶାନ୍ତ ରହୁଥିବାରୁ ବନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହାବାଦ୍‌ ଭିତରକନିକାକୁ ପଲିଥିନ ମୁକ୍ତ କରିବାକୁ ପର୍ଯ୍ୟଟକମାନଙ୍କୁ ସଚେତନ କରାଯିବ । ଭିତରକନିକା ଯେପରି ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ମୁକ୍ତ ଜାତୀୟ ଉଦ୍ୟାନ ହେବ, ସେଥିପାଇଁ ସବୁସ୍ତରରେ ସଚେତନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.