ଭାରତ-ଇଣ୍ଡିଜ ଦ୍ୱିତୀୟ ଟି୨୦ : ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ, ୦୧|୦୮ : ସୋମବାର ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌କୁ ଏକତରଫା ଭାବେ ଜିତିବା ପରେ ଭାରତୀୟ ଦଳ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଘରୋଇ ଦଳ ସିରିଜକୁ ଫେରିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି । ପ୍ରଥମ ମ୍ୟାଚ୍‌ରେ ଭାରତ ୬୮ ରନ୍‌ରେ ବିଜୟ ହାସଲ କରିଥିଲା । ରୋହିତ ଶର୍ମା ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିଥିଲେ । ଦିନେଶ କାର୍ତ୍ତିକ ନିମ୍ନ ଭାଗରେ ଦର୍ଶନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଥିବାରୁ କାର୍ତ୍ତିକଙ୍କୁ ଫିନିଶର ଦାୟିତ୍ୱ ପ୍ରଦାନ କରାଯିବା ଏକ ପ୍ରକାର ନିଶ୍ଚିତ ଜଣା ପଡ଼ୁଛି । ବୋଲିଂ ବିଭାଗକୁ ନେଇ ଦଳର ଚିନ୍ତା ଏକପ୍ରକାର ଦୂର ହୋଇଛି । ଜଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରୁନାହିଁ । ଭୁବନେଶ୍ୱର କୁମାରଙ୍କ ସହ ଯୁବ ପେସ ବୋଲର ଅର୍ଶଦୀପ ସିଂହ ପେସ୍‌ ବିଭାଗ ସମ୍ଭାଳିବାର କ୍ଷମତା ରଖିଥିବା ପ୍ରମାଣ କରିଛନ୍ତି । ବାକି ସ୍ପିନ ବିଭାଗ ବେଶ୍‌ ଶକ୍ତିଶାଳୀ ରହିଛି । ରବି ଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା ଓ ରବି ବିଷ୍ଣୋଇ ପ୍ରଥମ ମ୍ୟାଚ୍‌ରେ ଘାତକ ସାବ୍ୟସ୍ତ ହୋଇଥିଲେ ।

Leave A Reply

Your email address will not be published.