ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ: ପଦକ ତାଲିକାରେ ୬ଷ୍ଠ, ତିନି ସ୍ୱର୍ଣ୍ଣ ସହ ଆସିଛି ୯ଟି ମେଡାଲ

ନୂଆଦିଲ୍ଲୀ, ଅଗଷ୍ଟ ୦୨ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨କୁ ୪ ଦିନ ବିତିଛି । ଭାରତ ଲଗାତାର ନିଜର ପଦର ସଂଖ୍ୟା ବଢ଼ାଇ ଚାଲିଛି । ଏଥି ପାଇଁ ଭାରତର ସୁଯୋଗ୍ୟ ସନ୍ତାନମାନେ ବର୍ମିଂହାମରେ ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ ଦିନରେ ମଧ୍ୟ ଭାରତକୁ ଆହୁରି ପଦକ ମିଳିବାର ଆଶା ରହିଛି । ସୋମବାର (ଅଗଷ୍ଟ ୧)ରେ ଟିମ୍ ଇଣ୍ଡିଆର ଖାତାରେ ୩ଟି ପଦକ ଆସିଛି । ଏଥିରେ ଜୁଡେ ଇଭେଣ୍ଟରେ ୨ଟି ଓ ୱେଟଲିଫ୍ଟରରେ ଗୋଟିଏ ପଦକ ସାମିଲ ରହିଛି । ସୋମବାର ଭାରତକୁ ୨ଟି ରୌପ୍ୟ ପଦକ ଓ ଗୋଟିଏ କାଂସ୍ୟ ପଦକ ପ୍ରାପ୍ତି ହୋଇଛି । ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଏପର୍ଯ୍ୟନ୍ତ ଭାରତର ପଦକ ସଂଖ୍ୟା ୯ରେ ପହଞ୍ଚିଛି । ମେଡାଲ ତାଲିକାରେ ଭାରତର ସ୍ଥାନ ୬ଷ୍ଠରେ ରହିଛି । ଭାରତର ଖାତାରେ ଏପର୍ଯ୍ୟନ୍ତ ୩ଟି ସ୍ୱର୍ଣ୍ଣପଦକ, ୩ଟି ରୌପ୍ୟ ପତକ ଓ ୩ଟି କାଂସ୍ୟ ପଦକ ରହିଛି । ଏହା ବ୍ୟତୀତ ସୋମବାର ଭାରତ ନିଜର ଅନ୍ୟ ୩ଟ ପଦକ ସୁନିଶ୍ଚିତ କରିସାରିଛି, ଏହାର ଫାଇନାଲ ମୁକାବିଲା ଏବେବି ବାକି ଅଛି । ସୂଚନାଯୋଗ୍ୟ, ଭାରତକୁ ଏପର୍ଯ୍ୟନ୍ତ ସଂକେତ ମହାଦେବ (ରୌପ୍ୟ), ଗୁରୁରାଜ (କାଂସ୍ୟ), ମୀରାବାଇ ଚାନୁ (ସ୍ୱର୍ଣ୍ଣ), ବିନ୍ଦିଆରାଣୀ ଦେବୀ (ରୌପ୍ୟ),  ଜେରେମୀ ଲାଲରିନୁଙ୍ଗା (ସ୍ୱର୍ଣ୍ଣ), ଅଚିନ୍ତା ଶେଉଳି (ସ୍ୱର୍ଣ୍ଣ), ସୁଶୀଲା ଦେବୀ (ରୌପ୍ୟ), ବିଜୟ କୁମାର ଯାଦବ (କାଂସ୍ୟ) ଓ ହରଜିନ୍ଦର କୌର (କାଂସ୍ୟ) ପଦକ ଆଣିଛନ୍ତି । ତେବେ ପଦକ ତାଲିକାରେ ଅଷ୍ଟ୍ରେଲିଆ ଆଗରେ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଥିବା ବେଳେ କାନାଡା ୪ର୍ଥ ଓ ଦକ୍ଷିଣ ଆଫ୍ରିକା ୫ମ ସ୍ଥାନରେ ରହିଛି । 

Leave A Reply

Your email address will not be published.