‘ସ୍ୱାମୀଙ୍କୁ ହତ୍ୟା କରି ଆସିଛି ସାହେବ’ ୭ବର୍ଷୀୟ ଶିଶୁପୁତ୍ରକୁ ନେଇ ଥାନା ପହଞ୍ଚିଲେ ମହିଳା

ଜାଲୌନ, ଅଗଷ୍ଟ ୦୨ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଜାଲୌନରେ ଜଣେ ମହିଳା ୭ ବର୍ଷର ଶିଶୁପୁତ୍ରର ସାମ୍ନାରେ ନିଜର ସ୍ୱାମୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି । ହତ୍ୟା ପରେ ପୁଅକୁ ନେଇ ମହିଳା ଜଣକ ଥାନାରେ ପହଞ୍ଚିଛି । ଏଥି ସହିତ ସେ ପୋଲିସ ଆଗରେ ହତ୍ୟାକାଣ୍ଡର ସ୍ୱୀକାର କରିବା ସହ ଆତ୍ମସମର୍ପଣ କରିଛି । ପୋଲିସ ଯେତେବେଳେ ମହିଳାଙ୍କୁ ନେଇ ତା’ର ଘରକୁ ପହଞ୍ଚି ଥିଲା, ଘରର ଚଟାଣ ରକ୍ତରେ ଭିଜିସାରିଥିଲା । ମହିଳାଙ୍କ କାଣ୍ଡ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହି ଘଟଣା ଘଟିଛି ଜାଲୌନ ଜିଲ୍ଳା ଉରଇ ଥାନା ଅନ୍ତର୍ଗତ ଉମରାର ଖେଡ଼ା ଗାଁରେ । ପୋଲିସ ମହିଳାଙ୍କୁ ତୁରନ୍ତ ନିଜ ହେପାଜତକୁ ନେଇଥିଲା । ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ କହିଛି ଯେ, ମୃତକ ହେଲେ ସନ୍ଦୀପ ଓରଫ କଲ୍ଲୁ । ତାଙ୍କର ପତ୍ନୀ ତାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି । ପୋଲିସକୁ ଅଭିଯୁକ୍ତ ସନ୍ଧ୍ୟା କହିଛି ଯେ, ସନ୍ଦୀପ ପ୍ରତିଦିନ ମଦପିଇ ଘରକୁ ଫେରିଥାଏ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହୋଇଥାଏ । ରବିବାର ରାତିରେ ମଧ୍ୟ ମଦପିଇ ଆସିଥିଲା ଓ ମାଡ଼ ମାରିଥିଲା । ପୁଣି ଝଗଡ଼ା ଲାଗିଥିଲା । ଶେଷରେ ରାଗକୁ ନିୟନ୍ତ୍ରଣ କରି ନ ପାରି କୁରାଢ଼ିରେ ହାଣିଥିଲା । 

Leave A Reply

Your email address will not be published.