ବିବାହର ୩ବର୍ଷ ପରେ ଶ୍ବଶୁରଘରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

କାମାକ୍ଷାନଗର ୫।୮: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବେକାଗାଡ଼ିଆ ଗାଁରେ ନବବଧୂଙ୍କୁ ହତ୍ୟା ଅଭିଯୋଗ ହୋଇଛି । ଏନେଇ ମୃତକଙ୍କ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିବା ସହ ଥାନାରେ ଲିଖିତ ଅଭଯୋଗ କରିଛନ୍ତି। ମୃତକ ଜଣଙ୍କ ହେଲେ ବେକାଗାଡିଆ ଗାଁର ଅମରେଶ ସାହୁଙ୍କ ସ୍ତ୍ରୀ ଲିମା ସାହୁ। ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ ରଣପଶି ଗାଁରେ ଲିମାଙ୍କ ବାପଘର । ବାପଘର ଲୋକଙ୍କ ଅଭିଯୋଗ ଅନୁସାରେ, ୩ ବର୍ଷ ତଳେ ତାଙ୍କ ଝିଅ ଲିମାଙ୍କ ବିବାହ ପରଜଙ୍ଗ ଥାନା ବେକାଗାଡିଆ ଗାଁର ଅମରେଶ ସାହୁଙ୍କ ସହିତ ବୈଦିକ ରୀତିନୀତିରେ ହୋଇଥିଲା । ବିବାହ ପରଠାରୁ ଶ୍ବଶୁରଘର ଲୋକଙ୍କ ସହିତ ତାଙ୍କର ପାରିବାରିକ କଳହ ଲାଗି ରହିଥିଲା। ତେବେ ଗୁରୁବାର ସକାଳେ ଲିମାଙ୍କ ବାପଘର ଲୋକେ ଫୋନ୍ ଯୋଗେ ଖବର ପାଇ ପହଞ୍ଚିବା ପରେ ତାଙ୍କ ଝିଅଙ୍କୁ ମୃତ ଅବସ୍ଥାରେ ପାଇଥିଲେ । ସେତେବେଳକୁ ଲିମାଙ୍କ ଶ୍ବଶୁରଘର ଲୋକ ଘରେ କେହି ଉପସ୍ଥିତ ନଥିଲେ । ତେଣୁ ପରିବାର ଲୋକେ ମିଶି ତାଙ୍କ ଝିଅକୁ ହତ୍ୟା କରିଛନ୍ତି ବୋଲି ସେମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ, କାମାକ୍ଷାନଗର ଏସ୍ଡ଼ିପିଓ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଜାରି ରଖିଛନ୍ତି। ଅଭିଯୋଗକୁ ଆଧାର କରି ଲିମାଙ୍କ ଶାଶୁ ଓ ଶ୍ବଶୁରଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି।

Leave A Reply

Your email address will not be published.