ବ୍ରିଜ ଉପରୁ ବ୍ୟାଙ୍କ୍ ଅଧିକାରୀ ନିଖୋଜ, ମିଳିଲା ବାଇକ୍‌ ଓ ଚପଲ, ଆତ୍ମହତ୍ୟା ନା ଅପହରଣ

ସୁବର୍ଣ୍ଣପୁର, ୧୧/୦୮: ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ଅଙ୍ଗନଦୀ ପୋଲ ଉପରେ ଆଭାବନୀୟ ଘଟଣା ଘଟିଛି । ବ୍ରିଜ ଉପରୁ ଜଣେ ବ୍ୟାଙ୍କ କର୍ମଚାରୀ ନିଖୋଜ ହୋଇଥିବା ଜଣାପଡିଛି । ଏଭଳି ଏକ ଘଟଣା ବଲାଙ୍ଗୀର-ସମ୍ୱଲପୁର ଅନ୍ତର୍ଗତ ଏନଏଚ ୨୬ର ଚେରୁପାଲି ଅଙ୍ଗନଦୀ ବ୍ରିଜ ଉପରେ ଘଟିଛି । ନିଖୋଜ ବ୍ୟାଙ୍କ କର୍ମଚାରୀ ଜଣକ ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର ବୋଲି ଜଣାପଡିଛି । ଗତକାଲି ସନ୍ଧ୍ୟାରେ ବ୍ୟାଙ୍କରୁ ବାହାରିବା ସମୟରେ ପରିବାର ଲୋକଙ୍କ ସହ ସେ ଫୋନରେ କଥା ହୋଇଥିଲେ । ତେବେ ସନ୍ଧ୍ୟା ୭ଟା ପରେ ଆଉ ତାଙ୍କର ଫୋନ ଲାଗିନଥିଲା । ସେହି ରାସ୍ତାଦେଇ ଆସୁଥିବା କିଛି ଲୋକ ବ୍ରିଜ ଉପରେ ବାଇକ୍ ଓ ଚପଲ ପଡିଥିବା ଦେଖିଥିଲେ । ଦିବ୍ୟରଞ୍ଜନ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଏହି ନିଛାଟିଆ ଜାଗାରୁ ଅପହରଣ କରାଯାଇଛି ସେନେଇ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଦିବ୍ୟରଞ୍ଜନ ମିଶ୍ରଙ୍କ କୌଣସି ପତ୍ତା ମିଳିନାହିଁ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରୁଛନ୍ତି ।

Leave A Reply

Your email address will not be published.