ରଦ୍ଦ ହୋଇପାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା, ରାଜଭବନକୁ ମିଳିଛି ନିର୍ବାଚନ ଆୟୋଗଙ୍କ ରିପୋର୍ଟ

ରାଞ୍ଚୀ ୨୫।୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇପାରେ । ଏହି ମର୍ମରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଏକ ପତ୍ର ବୁଧବାର ରାଜଭବନକୁ ମିଳିଥିବା ପ୍ରଦେଶ ବିଜେପି ଦାବି କରିଛି। ସୋରେନ ନିଜ ନାମରେ ଏକ ପଥର ଖଣୀ କରାଇ ନେବା ମାମଲାରେ ଆୟୋଗ ଏପରି ସୁପାରିଶ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ରାଜ୍ୟପାଳ ରମେଶ ବ୍ୟାସ୍‌ ଏବେ ଦିଲ୍ଲୀରେ ଅଛନ୍ତି। ଗୁରୁବାର ମଧ୍ୟାହ୍ନରେ ସେ ଦିଲ୍ଲୀରୁ ବାହାରିବେ ଓ ଅପରାହ୍ନ ପ୍ରାୟ ୨ଟା ବେଳେ ରାଞ୍ଚୀରେ ପହଞ୍ଚିବେ। ସୋରେନଙ୍କ ବିଧାନସଭା ସଦସ୍ୟତା ନେଇ ଅପରାହ୍ନ ୩ଟା ବେଳକୁ ଗେଜେଟ୍‌ରେ ପୁଷ୍ଟି ହୋଇଯିବ ବୋଲି ଆକଳନ କରାଯାଉଛି। ହେମନ୍ତ ସୋରେନ ନିଜ ନାମରେ ଏକ ପଥର ଖଣୀ ଲିଜ ଆବଣ୍ଟିତ କରିଥିଲେ। ଯାହାକୁ ନିର୍ବାଚନ ଆୟୋଗ ଭ୍ରଷ୍ଟ ଆଚରଣ ବୋଲି କହିଛନ୍ତି। ଅଫିସ ଅଫ ପ୍ରଫିଟ ଓ ଜନପ୍ରତିନିଧି ଅଧିନିୟମ ୧୯୫୧ର ଧାରା ୯(ଏ)ରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ସମାପ୍ତ କରିବା ପାଇଁ ବିରୋଧୀ ବିଜେପି ଦାବି କରିଥିଲା। ସୂଚନା ଅଧିକାର  (ଆରଟିଆଇ) କର୍ମୀ ଶିବଶଙ୍କର ଶର୍ମା ମାମଲାରେ ୨ଟି ଜନସ୍ୱାର୍ଥ ମୋକଦ୍ଦମା ରୁଜୁ କରି ସିବିଆଇ ଓ ଇଡିଙ୍କ ଦ୍ୱାରା ଖଣି ଦୁର୍ନୀତିର ତଦନ୍ତ ଦାବି କରିଥିଲେ।

Leave A Reply

Your email address will not be published.