ବିଲକିସ୍ ବାନୋ ମାମଲା: ଦୋଷୀଙ୍କ ମୁକ୍ତିକୁ ନେଇ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ ୨୫।୮: ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାରେ ଦୋଷୀଙ୍କ ମୁକ୍ତିକୁ ବିରୋଧ କରି ରୁଜୁ ପିଟିସନରେ ସୁପ୍ରିମକୋର୍ଟ ଏହି ନୋଟିସ୍ କରିଛନ୍ତି।  ମାମଲାର ଶୁଣାଣି ଦୁଇ ସପ୍ତାହ ପରେ ହେବ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି.ରମନ୍ନା, ଜଷ୍ଟିସ୍ ଅଜୟ ରସ୍ତୋଗୀ ଓ ଜଷ୍ଟିସ୍‌ ବିକ୍ରମ ନାଥଙ୍କ ବେଞ୍ଚ ମାମଲାର ଶୁଣାଣି କରିଛନ୍ତି। ସାମାଜିକ କର୍ମୀ ସୁଭାଷିନୀ ଅଲ୍ଲୀ, ରୂପରେଖା ବର୍ମା ଓ ସାମ୍ବାଦିକ ରେବତୀ ଲାଲ ମାମଲାରେ ୧୧ ଦୋଷୀଙ୍କ ମୁକ୍ତି ଲାଗି ଗୁଜରାଟ ସରକାରଙ୍କ ଆଦେଶ ରଦ୍ଦ କରିବା ନିମନ୍ତେ ପିଟିସନରେ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଲକିସ୍ ବାନୋ ଗଣ ଦୁଷ୍କର୍ମ ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରିବା ମାମଲାରେ ୧୧ ଜଣ ଦୋଷୀ ଗତ ୧୫ ବର୍ଷ ହେଲା ଜେଲରେ ଥିଲେ। ତେବେ ଗୁଜରାଟ ସରକାର ଦୋଷୀମାନଙ୍କୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁକ୍ତ କରିବା ନୀତିରେ ଅଗଷ୍ଟ ୧୫ ତାରିଖ ଦିନ ମୁକ୍ତ କରିଦେଇଛନ୍ତି। ଗୁଜରାଟ ଦଙ୍ଗା କାଳରେ ଦାହୋଦ ଜିଲ୍ଲା ଲିମଖେଡା ରନ୍ଧିକପୁର ଗାଁରେ ଉତ୍ତେଜିତ ଭିଡ ବିଲକିସ୍ ବାନୋଙ୍କ ଘରେ ପଶିଯାଇଥିଲା। ସେହି ସମୟରେ ଗର୍ଭବତୀ ବିଲକିସ୍ ବାନୋଙ୍କ ପ୍ରତି ଗଣଦୁଷ୍କର୍ମ କରାଯିବା ସହ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା। ୨୦୦୮ ମସିହାରେ ମୁମ୍ବାଇ ସ୍ୱତନ୍ତ୍ର ସିବିଆଇ ନ୍ୟାୟାଳୟ ବିଲକିସ ବାନୋ ମାମଲାରେ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ କରିଥିଲେ।

Leave A Reply

Your email address will not be published.