ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା: ପାଣି ସୁଅରେ ଭାସିଗଲା ଘର, ଗାଁ, ରାସ୍ତା, ବ୍ରିଜ୍

ଇସ୍‌ଲାମାବାଦ ୨୯/୦୮: ପାକିସ୍ତାନରେ ବନ୍ୟା ବିଭୀଷିକା ଗମ୍ଭୀର ରୂପ ଧାରଣ କରିଛି । ପ୍ରବଳ ବର୍ଷା ଯୋଗୁ ପାଣିର ପ୍ରଖର ସ୍ରୋତରେ ଅନେକ ଘର, ଗାଁ, ରାସ୍ତା, ବ୍ରିଜ୍‌ ଭାସିଯାଇଛି । ଗତ ୨୪ ଘଣ୍ଟାରେ ୧୧୯ ଜଣଙ୍କ ମୃତ୍ୟୁ ଘଟିବା ପରେ ବନ୍ୟାଜନିତ ମୋଟ ମୃତ୍ୟୁସଂଖ୍ୟା ୧,୦୩୩ରେ ପହଞ୍ଚିଛି । ସେଥିମଧ୍ୟରେ ୩୪୮ ଜଣ ପିଲା ଅଛନ୍ତି । ଦେଶର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ତଥ୍ୟ ରଖିଛନ୍ତି । ତେବେ ସରକାରୀ ଭାବେ ଏହି ତଥ୍ୟ ଦିଆଯାଉଥିଲା ବେଳେ ବାସ୍ତବ ମୃତ୍ୟୁସଂଖ୍ୟା ଏହାଠାରୁ ବହୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗତ ୨୦୧୦ରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୨ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଦେଶର ସମସ୍ତ ୪ ପ୍ରଦେଶ ସିନ୍ଧ, ପଞ୍ଜାବ, ଖାଇବର-ପାଖତୁନଖ୍ୱା ଓ ବେଲୁଚିସ୍ତାନର ୩ କୋଟି ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୪ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିଲା ବେଳେ ୩ ହଜାର କି.ମି ରାସ୍ତା ଓ ୧୩୦ଟି ବ୍ରିଜ ନଷ୍ଟ ହୋଇଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି । ପାଣି ଘେରରେ ରହିଥିବା ଲୋକଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.