ବିଜେପି ଉପରେ ପୁଣି ଗର୍ଜିଲେ ମମତା, କହିଲେ ମୋ ସମ୍ପତ୍ତି ବଢୁଥିବା ନେଇ ଅଭିଯୋଗ ଭିତ୍ତିହୀନ

କୋଲକାତା ୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ପୁଣି ଗର୍ଜିଛନ୍ତି। ଏକ ଜନସମାବେଶକୁ ସମ୍ବୋଧିତ କରି ବିଜେପି ସମସ୍ତଙ୍କୁ ‘ଚୋର’ ବୋଲି ବ୍ରାଣ୍ଡ କରିବାକୁ ଚାହୁଁଥିବା କହିଛନ୍ତି। କେବଳ ବିଜେପି ନେତାମାନେ ପବିତ୍ର ଓ ଅନ୍ୟ ଦଳର ନେତାମାନେ ଚୋର ବୋଲି କେନ୍ଦ୍ରୀୟ ଏଜେନ୍ସୀଙ୍କ ଦ୍ୱାରା ପ୍ରମାଣିତ କରିବାକୁ ଉଦ୍ୟମ କରାଯାଉଥିବା ମମତା କହିଛନ୍ତି। ଏହାର ବିପରୀତରେ କେନ୍ଦ୍ରୀୟ ଏଜେନ୍ସୀ ଓ ଅନ୍ୟ ସୂତ୍ରରୁ ଆଦାୟ ହେଉଥିବା ଅର୍ଥକୁ ଅଣ ବିଜେପି ଶାସିତ ରାଜ୍ୟମାନଙ୍କର ସରକାର ଭାଙ୍ଗିବାରେ ବ୍ୟୟ କରୁଥିବା ସେ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତାଙ୍କୁ ଗିରଫ କରିବା ପାଇଁ ବିଜେପିକୁ ଚାଲେଞ୍ଜ କରିଛନ୍ତି। ଏହା ଛଡା ଗତ କିଛି ବର୍ଷରେ ତାଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପତ୍ତିର ମୂଲ୍ୟ ବୃଦ୍ଧି ଅଭିଯୋଗକୁ ନିରାଧାର ବୋଲି ମମତା କହିଛନ୍ତି। ସେ କହିଛନ୍ତି ଯେ ମୋର ପରିବାର ଏକକ ଓ କେବଳ ଉତ୍ସବ ଓ ପର୍ବ ପର୍ବାଣୀରେ ମୋ ପରିବାର ସଦସ୍ୟମାନେ ଏକତ୍ରହୋଇଥାନ୍ତି। ତେବେ ମୋର ନିଜ ଖର୍ଚ୍ଚ ମୁଁ ବହିରୁ ମିଳୁଥିବା ରୟାଲଟିରେ ଭରଣା କରୁଥିବା ମମତା କହିଛନ୍ତି। ମମତା କହିଛନ୍ତି ଯେ ସେମାନେ (ବିଜେପି) ଏଠି ମୋକଦ୍ଦମା ରୁଜୁ କରୁଛନ୍ତି। ମୁଁ ସେମାନଙ୍କ ଲାଗି ଦରକାର ପଡିଲେ ଅନ୍ତର୍ଜାତୀୟ ନ୍ୟାୟାଳୟ ପର୍ଯ୍ୟନ୍ତ ଯିବାକୁ ପଡିଲେ ଯିବି ବୋଲି କହିଛନ୍ତି। କାରଣ ଦେଶରେ ବିଜେପି ମାମଲାରେ ହସ୍ତକ୍ଷେପ କରିପାରେ ବୋଲି ସେ କହିଛନ୍ତି। ବିଲକିସ୍ ବାନୋ ମାମଲାରେ ମଧ୍ୟ ଗର୍ଜିଛନ୍ତି ମମତା। କହିଛନ୍ତି ଗୋଟିଏ ପଟେ ସେମାନେ (ବିଜେପି) ବେଟି ବଚାଓ ସ୍ଲୋଗାନ ଦେଉଛନ୍ତି, ଅନ୍ୟପଟେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମୁକ୍ତ କରି ଦେଉଛନ୍ତି। ବିଲକିସ୍ ବାନୋଙ୍କ ଦୋଷୀଙ୍କ ଗିରଫ ଲାଗି ସେ କୋଲକାତାରେ ୪୮ ଘଣ୍ଟିଆ ଧାରଣା ଦେବେ ବୋଲି କହିଛନ୍ତି।    

Leave A Reply

Your email address will not be published.