କାବୁଲ: ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨ କର୍ମଚାରୀଙ୍କ ସହ ୨୦ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ରାଜଧାନୀ କାବୁଲ ପୁଣି ଥରେ ଏକ ଭୟଙ୍କର ବିସ୍ଫୋରଣରେ ଥରି ଉଠିଛି । ବିସ୍ଫୋରଣଟି ରୁଷ ଦୂତାବାସ ନିକଟରେ ହୋଇଛି। ସୂଚନା ଅନୁସାରେ ରୁଷ ଦୂତାବାସର ଫଟାକ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ରୁଷ ଦୂତାବାସର ଦୁଇ ଜଣ କର୍ମଚାରୀ ଥିବା ଜଣାପଡିଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା । ଦୂତାବାସ ବାହାରେ ମୁତୟନ ଥିବା ତାଲିବାନର ସୁରକ୍ଷାକର୍ମୀ ଆକ୍ରମଣକାରୀଙ୍କୁ ଚିହ୍ନି ସାରିଥିଲେ ଏବଂ ଗୁଳି ମାରିଥିଲେ। କିନ୍ତୁ ହଠାତ ବିସ୍ଫୋରଣ ହୋଇଥିଲା। ତାଲିବାନର ସ୍ଥାନୀୟ ପୋଲିସ ମୁଖ୍ୟ ମାଭଲଭି ସାବିରଙ୍କ ଅନୁସାରେ, ଆକ୍ରମଣକାରୀକୁ ଟାର୍ଗେଟ ନିକଟରେ ପହଞ୍ଚିବା ପୂର୍ବରୁ ଶେଷ କରାଯାଇଛି। ରୁଷର ବିଦେଶ ମନ୍ତ୍ରଣାଳୟ କାବୁଲରେ ନିଜ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣରେ ଦୁଇ କର୍ମଚାରୀଙ୍କ ମୃତ୍ୟୁକୁ ସ୍ୱୀକାର କରିଛି। ସୂଚନା ଅନୁସାରେ ଭିସା ପାଇଁ ଏଠାରେ ଲୋକମାନେ ଲାଇନରେ ଠିଆ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ରୁଷ ସେହି କିଛି ଦେଶ ମଧ୍ୟରେ ରହିଛି ଯିଏ ତାଲିବାନ ହାତକୁ ଯିବା ପରେ କାବୁଲରେ ନିଜର ଦୂତାବାସ ସଞ୍ଚାଳନ ଜାରି ରଖିଥିଲା। ତେବେ ମସ୍କୋ ଆନୁଷ୍ଠାନିକ ଭାବେ ତାଲିବାନ ସରକାରକୁ ମାନ୍ୟତା ପ୍ରଦାନ କରି ନାହିଁ।

Leave A Reply

Your email address will not be published.