ଏଥର ବି ଦୀପାବଳିରେ ଫୁଟିବନି ବାଣ

ନୂଆଦିଲ୍ଲୀ: ଏଥର ବି ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ଫୁଟିବ ନାହିଁ ବାଣ। ବିନା ଫୋଟକାରେ ପାଳନ କରାଯିବ ଆଲୋକର ପର୍ବ ଦୀପାବଳି। ବୁଧବାର ଦିଲ୍ଲୀ ସରକାର ବାଣ ବିକ୍ରି ଏବଂ ଏହାର ବ୍ୟବହାର ଉପରେ ୨୦୨୩ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି। ଏଥର ଅନଲାଇନ ବିକ୍ରି ଏବଂ ଡେଲିଭରୀ ଉପରେ ମଧ୍ୟ ରୋକ୍ ଲଗାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜଧାନୀରେ ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏମିତି ନିର୍ଣ୍ଣୟ ନିଆଯାଇଥିବା ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି। ଏମିତି ହେଲେ ଲୋକଙ୍କ ଜୀବନ ଉପରେ ପଡୁଥିବା ନକରାତ୍ମକ ପ୍ରଭାବ ହ୍ରାସ ପାଇବ। ଏହି ନିୟମକୁ ଦୃଢତାର ସହ ଲାଗୁ କରାଯିବ ଏବଂ ଏଥିପାଇଁ ଦିଲ୍ଲୀ ପୋଲିସର ସହଯୋଗ ନିଆଯିବ। ତେଣୁ ଏଥର ଅଫଲାଇନ ସହ ଅନଲାଇନ ବିକ୍ରି ଉପରେ ମଧ୍ୟ ରୋକ୍ ଲଗାଯାଇଛି। କଟକଣାକୁ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ଵ ବିଭାଗ ସହିତ ମିଶି ଯୋଜନା ପ୍ରସ୍ତୁତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.