ଆରକେ ହଷ୍ଟେଲ ଭିତରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଆରକେ ହଷ୍ଟେଲ ଭିତରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଛାତ୍ର ଜଣଙ୍କ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଡିପଙ୍କା ଗ୍ରାମର କୁନାଲ ମଲ୍ଲିକ(୨୦)। ସେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗ ଯୁକ୍ତ ୩ ଶେଷବର୍ଷର ଛାତ୍ର ଥିଲେ।  ପରିବାର ଲୋକେ କୁନାଲଙ୍କ ମୃତ୍ୟୁକୁ  ସହଜରେ ଗ୍ରହଣ କରିପାରିନଥିବା ବେଳେ ତଦନ୍ତ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କୁନାଲ ନିଜର ଶେଷ ସେମିଷ୍ଟାର ପରୀକ୍ଷା ଦେଇଥିଲେ।  ପରୀକ୍ଷା ସରିବା ପରେ ସବୁଦିନ ଭଳି ହଷ୍ଟେଲକୁ ଫେରିଥିଲେ। ରାତିରେ ହଷ୍ଟେଲ  ଭିତରେ ଥିବା ନିଜ କୋଠରୀରେ ଶୋଇଥିଲେ।  ତାଙ୍କ ସହ ସେହି କୋଠରୀରେ ବଟନି ବିଭାଗର  ଅନ୍ୟ ଜଣେ ଛାତ୍ର ମଧ୍ୟ ଥିଲେ।  କୁନାଲ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇନଥିଲେ ​ବୋଲି ତାଙ୍କ ରୁମମେଟ ଜଣଙ୍କ କହିଛନ୍ତି। ହେଲେ ସକାଳୁ ଅନେକ ସମୟ ଯାଏଁ ଶୋଇ ରହିଥିଲେ। ୧୧ଟା ବେଳେ ହଷ୍ଟେଲର ଖାଇବା ବେଲ ବାଜିବା ପରେ ମଧ୍ୟ ସେ ଉଠିନବାରୁ ସାଙ୍ଗମାନେ  ବାରମ୍ବାର ଡାକିଥିଲେ। ଏହା ପରେ କୁନାଲ ନଉଠିବାରୁ  କୁନାଲଙ୍କ ସାଙ୍ଗମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।  ଏହାପରେ ହଷ୍ଟେଲର ତତ୍ତ୍ବାବଧାରକ ଡ. ଦୀପକ ମିଶ୍ର, ଅଧୀକ୍ଷକ ଓ ଉପ ଅଧୀକ୍ଷକ ପହଞ୍ଚି କୁନାଲଙ୍କୁ ତୁରନ୍ତ ଉଦ୍ଧାର କରି ଏମକେସିଜି ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

Leave A Reply

Your email address will not be published.