ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଟ୍ୱିଷ୍ଟ : ଇଲାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା, ନେତାଙ୍କ ସହ ତାଙ୍କର କ’ଣ ଲିଙ୍କ ?

ଭୁବନେଶ୍ୱର ୨୭।୦୯ : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ରହସ୍ୟ ବଢ଼ିବାରେ ଲାଗିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଧଉଳି ଥାନା ପୁଲିସ୍‌ ସ୍ପଷ୍ଟ କରିଛି ତାଙ୍କର ଶ୍ୱାସରୁଦ୍ଧରୁ ଜୀବନ ଯାଇଛି । ହେଲେ ଗୋପ ଅଞ୍ଚଳରେ ଇଲା ନାମକ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ମହିଳାଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା। ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ନିମାପଡ଼ାର ଜଣେ ଟାଣୁଆ ନେତାଙ୍କ ହାତ ଥିବା ବିଜେପି ଓ କଂଗ୍ରେସ ଦାବି କରୁଛି । ସେ ନେତାଙ୍କ ସହ ଇଲାଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଛି । ସଂପୃକ୍ତ ନେତାଙ୍କ କଥାରେ ଇଲା ସବୁ କିଛି କରୁଥିଲେ । ଗତକିଛି ଦିନ ତଳେ ଇଲା ଓ ଧର୍ମେନ୍ଦ୍ରଙ୍କୁ ଭୁବନେଶ୍ୱର ପୁଲିସ୍‌ ଧରିଥିଲା ବୋଲି ଖବର ସ୍ଥାନୀୟ ଅଞ୍ଚଳର ଏକ ଖବରକାଗଜ ଓ ୱେବ୍‌ ମିଡିଆରେ ପ୍ରକାଶ ପାଇଥିଲା । ଯାହାର କୌଣସି ସତ୍ୟତା ନଥିଲା । ହେଲେ ନେତାଙ୍କର ସହଯୋଗୀ ଓ ଇଲା ଏହାକୁ ସତ୍ୟ ବୋଲି ପ୍ରଚାର କରିଥିଲେ । ଏହି ଘଟଣାକୁ ନେଇ ଧର୍ମେନ୍ଦ୍ରଙ୍କ ପରିବାରରେ ଝଗଡ଼ା ଲାଗିଥିଲା । ଧର୍ମେନ୍ଦ୍ରଙ୍କ ପତ୍ନୀ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ଯାହାକୁ ନେଇ ପାଟିତୁଣ୍ଡ ଲାଗୁଥିଲା । ଏବେ ପୁଲିସ୍‌ର ତଦନ୍ତ ଦିଗ ଇଲାଙ୍କ ଆଡ଼କୁ ଯାଇଛି । ସେ କ’ଣ ପାଇଁ ଧର୍ମେନ୍ଦ୍ରଙ୍କ ବିରୋଧରେ ମିଛ ପ୍ରଚାର କରୁଥିଲେ? ନେତାଙ୍କ ସହ ତାଙ୍କର କ’ଣ ସମ୍ପର୍କ? ଏମିତି କରିବାକୁ କିଏ କହିଥିଲେ କି ? ସେ ସବୁ ଜାଣିବାକୁ ପୁଲିସ୍‌ ତାକୁ ଜେରା କରିବ ବୋଲି ଜଣାପଡିଛି । ସୋମବାର ସକାଳେ ପୁଣି ଏଡିସିପି ପ୍ରକାଶ ପାଲ, ଏସିପି ଭରତ ସାହୁ, ଧଉଳି ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ, ସାଇବର ଥାନା ଅଧିକାରୀ ରଶ୍ମିତା ପଟ୍ଟନାୟକ ଓ ଅନ୍ୟ କିଛି ପୁଲିସ୍‌ କର୍ମଚାରୀ ଧମେନ୍ଦ୍ରଙ୍କ ଲକ୍ଷ୍ମୀବିହାର ଘରକୁ ଯାଇଥିଲେ । ସୋମବାର ଧର୍ମେନ୍ଦ୍ରଙ୍କ ପତ୍ନୀ କସ୍ତୁରୀବାଳାଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନଥିଲା । ପୁଣି ତାଙ୍କୁ ପଚରାଉଚରା କରାଯାଇଥିଲା । ସକାଳ ସାଢ଼େ ୧୧ରୁ ୫ଟା ପର୍ଯ୍ୟନ୍ତ ପୁଲିସ୍‌ ତାଙ୍କ ଘରେ ଥିଲେ । ଏହି ସମୟରେ ଧର୍ମେନ୍ଦ୍ରଙ୍କ ରୋଷେୟା ମିଟୁକୁ ମଧ୍ୟ ଜେରା କରିଥିଲା ପୁଲିସ୍‌ । ତା’ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ପାରିନଥିଲା । ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ସୁଇସାଇଡାଲ୍‌ ହାଙ୍ଗିଙ୍ଗ୍‌ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ୍‌ ଡି ସାହୁ । ରିପୋର୍ଟ ଅନୁସାରେ ଏହା ଏକ ଆଣ୍ଟିମୋର୍ଟମ ଡେଥ୍‌ କେସ୍‌ । ଏହାର ଅର୍ଥ ଜୀବୀତ ଅବସ୍ଥାରେ ଫାଶି ଲଗାଇ ମୃତ୍ୟୁ ଘଟିଛି । ଦେହରେ କ୍ଷତ ନଥିବାରୁ ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ତେବେ ବିଜେପି ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଥିଲା । ବିଜେପିର କର୍ମକର୍ତ୍ତା ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.