ମୋହନା ୨୯।୦୯ : ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଆରା ପ୍ରୟାସ l ନିଜ ଦରମାରୁ କିଛି ଟଙ୍କା ସଂଗ୍ରହ କରି ପାଳିଲେ ୨୬ ଜଣ ଛାତ୍ରଛାତ୍ରୀଙ୍କ ଜନ୍ମଦିନ l ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅବାରସିଂ ପଞ୍ଚାୟତର କେଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଆଦିବାସୀ ଅଧ୍ୟୁସିତ ଗ୍ରାମାଞ୍ଚଳର ପିଲାମାନେ ନିଜ ପରିବାରକୁ ଛାଡି ଆଶ୍ରମ ବିଦ୍ୟାଳୟରେ ପାଠପଢୁଥିବା ବେଳେ ପ୍ରଥମ ଥର ବିଦ୍ୟାଳୟରେ ସମୂହ ଜନ୍ମଦିନ ପାଳନ ଉତ୍ସବ କରାଯାଇଛି । ପିଲାଙ୍କ ଜନ୍ମଦିନ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ଦରମାରୁ ସଂଗୃହୀତ କିଛି ଅର୍ଥ ବିନିମୟରେ କେକ୍ କାଟି , ମିଠା ଖୁଆଇ ପାଳନ କରିଛନ୍ତି ଜନ୍ମଦିନ ଉତ୍ସବ । ଯାହାକୁ ନେଇ ଉତ୍ସବ ମୁଖର ହୋଇଛି ବିଦ୍ୟାଳୟ ପରିବେଶ l ଉଭୟ ପିଲାମାନଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ପିଲାଙ୍କ ଜନ୍ମ ଦିନ ପାଳନ ପାଇଁ ବିଦ୍ୟାଳୟ ସାଜସଜା କରାଯାଇଥିଲା l ସ୍କୁଲର ସଂସ୍କୃତ ଶିକ୍ଷକ ଓ ହିନ୍ଦୀ ଶିକ୍ଷୟତ୍ରୀ ପିଲାଙ୍କୁ ଜୋତା, ଡ୍ରେସ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ପ୍ରଂଶସାର ସୁଅ ଛୁଟିଛି । ବିଦ୍ୟାଳୟରେ ଅଧ୍ୟୟନରତ ୨୬ ଜଣ ଛାତ୍ରଛାତ୍ରୀଙ୍କ ଅଗଷ୍ଟ ମାସର ବିଭିନ୍ନ ତାରିଖରେ ପଡ଼ୁଥିବା ଜନ୍ମଦିନ ହେତୁ ସମୁହ ଭାବେ ପାଳନ କରାଯାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ l