ପୁଣି ରକ୍ତରଞ୍ଜିତ ହେଲା ମାଣିକେଶ୍ୱରୀ ପୀଠ

କଳାହାଣ୍ଡି ୦୫/୧୦: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଯାଇଛି । ମାଙ୍କ ଛତର ଯାତ୍ରା ପରେ ବିଜୟା ଦଶମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ଲାଖମରା ଯାତ୍ରା ପାଇଁ ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ଦେବୀଙ୍କ ବିଜୟ ପ୍ରତିମାକୁ ମନ୍ଦିରରୁ ବାହାର କରି ପ୍ରାୟ ୩କିମି ଦୂରରେ ସହରର ପଶ୍ଚିମ ଉପକଣ୍ଠରେ ଥିବା ନକଟିଗୁଡା ସ୍ଥିତ ଲାଖମରା ପଡିଆକୁ ନିଆଯାଇଥିଲା । ସେଠାରେ ମାଙ୍କ ଛତରକୁ ସ୍ଥାପନ କରାଯାଇ ପରମ୍ପରା ଅନୁଯାୟୀ ଗୁପ୍ତପୂଜା କରାଯାଇଥିଲା । ପରେ ଛେଳି, ମେଣ୍ଢା, କୁକୁଡ଼ା ଆଦି ବଳି ପଡିଥିଲା । କଳାହାଣ୍ଡିର ମହାରାଜ ଅନନ୍ତ ପ୍ରତାପ ଦେଓ ତାଙ୍କ ଦୁଇ ପୁଅଙ୍କ ସହ ଆସି ପୂଜାର୍ଚ୍ଚନା କରିବାପରେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ପୂର୍ବ ପରମ୍ପରା ଅନୁଯାୟୀ ଏକ ଛୋଟ ହାଣ୍ଡି ରେ ଲାଖ ଭର୍ତ୍ତି କରି ପ୍ରାୟ ୫୦ ମିଟର ଏକ ଉଚ୍ଚ ବାଉଁଶରେ ବନ୍ଧାଯାଏ । ଲଟେରୀ ମାଧ୍ୟମରେ ଜଣକ ନା ବଛାଯାଇ ତାକୁ ଏହି ଲାଖ କୁ ବିନ୍ଧିବା ପାଇଁ କୁହା ଯାଏ । ଯିଏ ଏହି ଲାଖ କୁ ବିନ୍ଧି ଥାଏ ତାକୁ ରାଜପରିବାର ପକ୍ଷରୁ ପୁରସ୍କୃତ କରାଯାଏ । ଏଥର ଜଣେ ସାଧାରଣ ଜନତା ଶୁଭାରମ୍ଭ କରିବା ପରେ ନିଜେ କଳାହାଣ୍ଡି ରାଜକୁମାର ଫତେହ କେଶରୀ ଦେଓ ଲାଖ ବିନ୍ଧିଥିଲେ । ଶେଷରେ ମା ଙ୍କ ଛତର ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଶ୍ରଦ୍ଧାଳୁ ମାନେ ଧୂପ, ଦୀପ, ନୈବେଦ୍ୟ ଓ ପୁଷ୍ପାର୍ଘ୍ୟ ପ୍ରଦାନ କରି ମା ଙ୍କୁ ପୁଜିଥିଲେ । ହଜାର ହଜାର ଭକ୍ତ ଏହି ପର୍ବ ରେ ସାମିଲ ହେଇଥିବାରୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.