ଗାଜିଆବାଦରେ ଅଘଟଣ: ବିସ୍ଫୋରଣରେ ଉଡିଲା ଦୁଇ ମହଲା ଘର, ୩ ମୃତ ଓ ୭ ଆହତ

ଗାଜିଆବାଦ ୦୫/୧୦: ବୁଧବାର ଗାଜିଆବାଦର ଲୋନିରେ ଅଘଟଣ । ଘରେ ଶକ୍ତିଶାଳୀ ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଲୋନିରେ ନିଠୋରା ରୋଡରେ ଥିବା ଆଶିଆନା ସହରର ଘର ଭିତରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଦୁଇ ମହଲା ଘର ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ବିସ୍ଫୋରଣର କାରଣ କଣ ତାହା ଜଣାପଡିନି । କିଛି ଲୋକ ଏହାକୁ ସିଲିଣ୍ଡରରେ ବିସ୍ଫୋରଣ ବୋଲି କହୁଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଆଶିଆନା ସହରରେ ମୁନିର ନାମକ ଜଣେ ବ୍ୟକ୍ତିଙ୍କ ଘର ଏହି ଅଘଟଣ ଘଟିଛି । କୁହାଯାଉଛି ଯେ ସକାଳ ୯.୩୫ରେ ଗୋଟିଏ ପରେ ଗୋଟିଏ ଦୁଇଟି ବଡ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଘରର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଛି । ତେବେ ଏହି ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ବର୍ଷୀୟ ମହିଳା, ୧୫ ବର୍ଷର ଜଣେ ପିଲା ଓ ୧୦ ମାସର ଶିଶୁ ରହିଛନ୍ତି । ଘର ମାଲିକ ମୁନିରଙ୍କ ଅବସ୍ଥା ମଧ୍ୟ ଗୁରୁତର ବୋଲି କୁହାଯାଉଛି । ଆହତମାନଙ୍କୁ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିବା ପରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.