ପୋଷାକ ଖୋଲି ଶ୍ରେଣୀ ଗୃହରେ ତଲାସି ନେଲେ ଶିକ୍ଷୟତ୍ରୀ

ଜାମସେଦପୁର: କପି କରୁଥିବା ସନ୍ଦେହରେ ଜଣେ ଛାତ୍ରୀଙ୍କୁ ପୁରା ଶ୍ରେଣୀ ଗୃହରେ ସଭିଙ୍କ ସାମ୍ନାରେ ପୋଷାକ ଖୋଲି ତଲାସି ନେଲେ ଶିକ୍ଷୟତ୍ରୀ। ଏଥିରେ ମର୍ମାହତ ଏବଂ ଲଜ୍ଜିତ ହୋଇ ଶରୀରରେ କିରୋସିନି ଢାଳି ନିଆଁ ଲଗାଇଛନ୍ତି ଛାତ୍ରୀ। ମୁର୍ମୁଷ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶର ମାହୋଲ ରହିଛି। ଜାମସେଦପୁରର ସାକଚି ସ୍ଥିତ ଶାରଦାମଣୀ ବାଳିକା ବିଦ୍ୟାଳୟର ନବମ ଶ୍ରେଣୀରେ ଛାତ୍ରୀ ପଢୁଥିଲେ। ତେବେ କପି କରୁଥିବା ସନ୍ଦେହରେ ଶିକ୍ଷୟତ୍ରୀ ପୋଷାକ ଖୋଲି ତଲାସି ନେଇଥିଲେ। ଆଉ ଛାତ୍ରୀଙ୍କ ନିକଟରୁ କୌଣସି କପି ମିଳିନଥିଲା। କିନ୍ତୁ ଘଟଣାରେ ଛାତ୍ରୀଜଣକ ନିଜକୁ ବହୁତ ମର୍ମାହତ ଏବଂ ଅପମାନିତ ବୋଧ କରିଥିଲେ। ଘରକୁ ପହଞ୍ଚି କିରୋସିନି ଢାଳି ଶରୀରରେ ନିଆଁ ଲଗାଇ ଦେଇଥିଲେ। ଟିଏମଏଚରେ ଛାତ୍ରୀଙ୍କୁ ଭର୍ତ୍ତି କରିଥିଲେ ପରିଜନ ଏବଂ ସେଠାରେ ଚିକିତ୍ସା ଜାରି ରହିଥିଲା। ତେବେ ଶନିବାର ସକାଳ ୧୧ଟା ୩୦ରେ ଛାତ୍ରୀ ଆଖି ବୁଜିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶର ମାହୋଲ ରହିଛି। ଶତାଧିକ ଲୋକ ସ୍କୁଲଠୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିଛନ୍ତି। ହସ୍ପିଟାଲଠୁ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୁରକ୍ଷା କଡାକଡି କରାଯାଇଛି। ଏହି ଘଟଣା ଯୋଗୁଁ ଶନିବାର ସ୍କୁଲ ବନ୍ଦ ରହିଛି। ସ୍ଥାନୀୟ ସ୍କୁଲର ମୁଖ୍ୟ ଦ୍ଵାରରେ ବସି ରହିଛନ୍ତି ଲୋକେ। ପୀଡିତ ପରିବାରକୁ କ୍ଷତିପୂରଣ ଦେବା ସହିତ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ସଡକକୁ ଓହ୍ଲାଇଛନ୍ତି। ଶିକ୍ଷୟତ୍ରୀଙ୍କୁ ବରଖାସ୍ତ ଆଦେଶ ଦିଆଯାଇଛି।

Leave A Reply

Your email address will not be published.