ସୁପ୍ରିମକୋର୍ଟରୁ ସାଇବାବାଙ୍କୁ ବଡ ଝଟକା

ନୂଆଦିଲ୍ଲୀ: ମାଓବାଦୀ ଲିଙ୍କ ମାମଲାରେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କୁ ଉଚ୍ଚତମ ନ୍ୟାୟାଳୟରୁ ଲାଗିଛି ବଡ ଝଟକା। ନ୍ୟାୟାଳୟ ଶନିବାର ଏକ ସ୍ଵତନ୍ତ୍ର ଶୁଣାଣିରେ ବମ୍ବେ ଉଚ୍ଚ ନ୍ୟାୟାଳୟଙ୍କ ନାଗପୁର ପୀଠଙ୍କ ଅକ୍ଟୋବର ୧୪ ଆଦେଶକୁ ଖାରଜ କରିଛନ୍ତି। ବମ୍ବେ ଉଚ୍ଚ ନ୍ୟାୟାଳୟ ସାଇବାବା ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଥିଲେ। ଏହାକୁ ବିରୋଧ କରି ମହାରାଷ୍ଟ୍ର ସରକାର ଉଚ୍ଚତମ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏସସି ସାଇବାବାଙ୍କ ଗୃହବନ୍ଦୀ ଦାବିକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି। ଅଦାଲତ କହିଛନ୍ତି, ଏହାକୁ ସ୍ଵୀକାର କରାଯାଇ ପାରିବ ନାହିଁ କାରଣ ତାଙ୍କୁ ଗୁରୁତର ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮ ତାରିଖକୁ ଧାର୍ଯ୍ୟ କରାଯାଇଛି। ଉଲ୍ଲେଖନୀୟ ବମ୍ବେ ଉଚ୍ଚ ନ୍ୟାୟାଳୟଙ୍କ ନାଗପୁର ବେଞ୍ଚ ଶୁକ୍ରବାର ମାଓବାଦୀ ଲିଙ୍କ ମାମଲାରେ ସାଇବାବା ଏବଂ ପାଞ୍ଚ ଅନ୍ୟ ଲୋକଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହିତ ସେମାନଙ୍କୁ ତତ୍କାଳ ମୁକ୍ତ କରିବାକୁ ଆଦେଶ ଦେଇଥିଲେ। ଜିଏନ ସାଇବାବା ଏବଂ ଅନ୍ୟଙ୍କୁ ମୁକ୍ତ କରାଯିବା ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଶନିବାର ସ୍ଵତନ୍ତ୍ର ବୈଠକ କରିଛନ୍ତି। ଏଥିସହ ସାଇବାବା ଏବଂ ଅନ୍ୟ ସହ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି। ମହାରାଷ୍ଟ୍ର ସରକାର ଶୁକ୍ରବାର ବମ୍ବେ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ହେଲେ ଅଦାଲତ ରାଜ୍ୟ ସରକାରଙ୍କ ଆବେଦନକୁ ଅସ୍ଵୀକାର କରିଥିଲେ। କିନ୍ତୁ ମାମଲାର ତତ୍କାଳ ସୂଚୀବଦ୍ଧ କରାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହା ପୂର୍ବରୁ ବମ୍ବେ ଉଚ୍ଚ ନ୍ୟାୟାଳୟ ଆତଙ୍କବାଦ ବିରୋଧୀ ଆଇନ ୟୁଏପିଏ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଜୁରୀ ଦେବାକୁ ମନା କରି ଦେଇଥିଲେ। ଏପରିକି ସାଇବାବାଙ୍କ ଆଜୀବନ କାରାଦଣ୍ଡକୁ ଖାରଜ କରିଥିଲେ। ହାଇକୋର୍ଟ କହିଥିଲେ, ଆତଙ୍କବାଦ ବିରୋଧରେ ଲଢେଇ ଗୁରୁତ୍ଵପୂର୍ଣ୍ଣ। ମାତ୍ର ଜାତୀୟ ସୁରକ୍ଷା ପାଇଁ କଥିତ ବିପଦ ନାମରେ ଆଉ କାହାକୁ ବଳି ପକାଯାଇ ପାରିବ ନାହିଁ।

Leave A Reply

Your email address will not be published.