ଡେରାମୁଖ୍ୟଙ୍କ ସତସଙ୍ଗରେ ଯୋଗ ଦେଲେ କର୍ଣ୍ଣାଲର ବିଜେପି ନେତା, ତେଜିଲା ବିବାଦ

ବାଗପତ୨୦।୧୦: ପାରୋଲରେ ଜେଲରୁ ବାହାରକୁ ଆସିଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ପୁଣି ବିବାଦରେ। ହତ୍ୟା ଓ ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ରାମ ରହିମ ପାରୋଲରେ ଆସି ସତସଙ୍ଗ କରିଛନ୍ତି, ଯେଉଁଥିରେ ଭକ୍ତଙ୍କ ବେଶ୍ ଭିଡ ଜମିଛି। ଏହି ସତସଙ୍ଗରେ କେତେକ ବିଜେପି ନେତାଙ୍କୁ ମଧ୍ୟ ରାମ ରହିମଙ୍କ ଆଶିର୍ବାଦ ପାଇଁ ପହଞ୍ଚିଥିବା ଦେଖାଯାଇଛି। ରାମରହିମ ଉତ୍ତର ପ୍ରଦେଶ ବାଗପତରେ ଅନଲାଇନ ସତସଙ୍ଗ କରିଥିଲେ। ଏହି ସତସଙ୍ଗରେ ନେତା ଧାଡି ଲଗାଇବା ଯୋଗୁ ଏବେ ରାଜନୈତିକ ବିବାଦ ଦେଖା ଦେଇଛି। ସତସଙ୍ଗରେ ହରିୟାଣାର କରନାଲ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ପ୍ରାର୍ଥୀ ମଧ୍ୟ ଆଶିର୍ବାଦ ନେଇଛନ୍ତି। ଏହା ଛଡା ସତସଙ୍ଗରେ ବିଜେପିର କିଛି ନେତା ମଧ୍ୟ ସାମିଲ ହୋଇଥିଲେ ଯେଉଁମାନଙ୍କ ମଧ୍ୟରେ ନଗରନିଗମ ମେୟର ରେଣୁବାଳା ଗୁପ୍ତା, ଜିଲ୍ଲା ସଭାପତି ୟୋଗେନ୍ଦ୍ର ରାଣା, ଡେପୁଟି ମେୟର ନବୀନ କୁମାର ଓ ସିନିୟର ଡେପୁଟି ମେୟର ରାଜେଶ ମଧ୍ୟ ଆଶିର୍ବାଦ ନେବାକୁ ପହଞ୍ଚିଥିଲେ। ନେତାମାନେ ଗୁରମିତ ରାମ ରହିମଙ୍କ ସତସଙ୍ଗରେ ଯୋଗ ଦେବା ସହିତ ତାଙ୍କୁ କରନାଲ ଆସିବା ଲାଗି ଆମନ୍ତ୍ରଣ ମଧ୍ୟ  କରିଛନ୍ତି।

Leave A Reply

Your email address will not be published.