ବାଣ ବ୍ୟାନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବାଣ ବିକ୍ରି ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଯାଚିକା ଉପରେ ତୁରନ୍ତ ଶୁଣାଣି କରିବା ଦାବିକୁ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି,’ଲୋକଙ୍କୁ ସୁରକ୍ଷିତ ବାୟୁରେ ଶ୍ୱାସ ନେବାକୁ ଦିଆଯାଉ ଏବଂ ମିଠା କିଣାରେ ନିଜ ଟଙ୍କା ଖର୍ଚ୍ଚ କରନ୍ତୁ’। ଏହା ପୂର୍ବରୁ ଆଜି ହିଁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପଲ୍ୟୁସନ କଣ୍ଟ୍ରୋଲ କମିଟିର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଥିଲେ । ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହା ଉପରେ ଶୁଣାଣି ହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ହାଇକୋର୍ଟରେ ଆବେଦନକାରୀ ନିଜ ଯାଚିକାରେ ଜୋର ଦେଇ କହିଥିଲେ ଯେ ସେପ୍ଟେମ୍ୱର ୧୪ରେ ଡିପିସିସି ଦ୍ୱାରା ଲାଗୁ କରାଯାଇଥିବା ବ୍ୟାନ ବେଆଇନ । ଏହା ଲୋକଙ୍କ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ହାଇକୋର୍ଟ ସବୁଜ ବାଣ ବିକ୍ରି ପାଇଁ ଅନୁମତି ଦିଅନ୍ତୁ ବୋଲି ବ୍ୟବସାୟୀ ଦାବି କରିଥିଲେ।  ଏହାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଥିଲେ, ରାଜଧାନୀରେ ବାଣ ଉତ୍ପାଦନ, ଜମା ରଖିବା ଏବଂ ବିକ୍ରି ଅପରାଧ । ନିୟମର ଉଲ୍ଲଂଘନ କଲେ ୫୦୦୦ ହଜାର ଟଙ୍କା ଜରିମାନା ଏବଂ ୩ ବର୍ଷ ଯାଏଁ ଜେଲ ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବାଣ କିଣିବା ଏବଂ ଫୁଟାଇବା ଉପରେ ମଧ୍ୟ ରୋକ ଲାଗିଛି । ଏହାର ଉଲ୍ଲଂଘନ କଲେ ୨୦୦ ଟଙ୍କା ଜରିମାନା ଏବଂ ୬ ମାସ ଜେଲ ଦଣ୍ଡର ନିୟମ ରହିଛି । ଶୀତ ଦିନ ଆରମ୍ଭ ହେବା ସହ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ । ଏହି କାରଣରୁ ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛନ୍ତି ।

Leave A Reply

Your email address will not be published.