ଆଣ୍ଡାମାନ ସାଗରେ ସୃଷ୍ଟି ହେଲା ଲଘୁଚାପ, ୨୩ରୁ ସମୁଦ୍ର ଅଶାନ୍ତ, ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୦/୧୦: ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ଆଣ୍ଡାମାନ ସାଗର ତତ୍‌-ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପଟି ଅକ୍ଟୋବର ୨୨ରେ ଅବପାତର ରୂପ ନେବ । ୨୩ରେ ଗଭୀର ଅବପାତ ରୂପ ନେଇ ୨୪ରେ ବାତ୍ୟାରେ ପରିଣତ ହୋଇ ଦିଗ ପରିବର୍ତ୍ତନ କରିବ । ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡ଼କୁ ମୁହାଁଇବ । ୨୫ ସୁଦ୍ଧା ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଞ୍ଚିବ । ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇପାରିନାହିଁ । ଓଡ଼ିଶାରେ ୨୪ ଓ ୨୫ରେ ଉପକୂଳ ଅଞ୍ଚଳରେ ବର୍ଷା ହେବ । କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ଉପକୂଳରେ ୨୩ ତାରିଖରୁ ସମୁଦ୍ର ଅଶାନ୍ତ ରହିବା ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.