ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ: ୨୦୩୦ ସୁଦ୍ଧା ବଢ଼ିଯିବ ଏହି ରୋଗ

ନୂଆଦିଲ୍ଲୀ: କରୋନା ପରଠାରୁ ଅଧିକାଂଶ ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଅନେକ ଲୋକ କୋଭିଡ ପରବର୍ତ୍ତୀ ସମସ୍ୟା ସହ ଲଢ଼ୁଛନ୍ତି। ଆଉ ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁଣି ଚେତାବନୀ ଜାରି କରିଛି। ପ୍ରକୃତରେ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୨ର ଆମର ଜୀବନଶୈଳୀ ନେଇ ଏକ ବୈଶ୍ୱିକ ରିପୋର୍ଟ, ଗ୍ଲୋବାଲ ଆକ୍ସନ ପ୍ଲାନ ଅନ୍ ଫିଜିକାଲ ଆକ୍ଟିଭିଟି(ଜିଏପିପିଏ) ୨୦୧୮-୨୦୩୦ ଜାରି କରିଛି। ଏଥିରେ ଶାରୀରିକ ବ୍ୟାୟାମକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ରିପୋର୍ଟରେ ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରେୟସ କହିଛନ୍ତି ଯେ ଚାଲିବା, ସାଇକେଲ ଚଲାଇବା, ଖେଳ ଏବଂ ଅନ୍ୟ ଶାରୀରିକ ପରିଶ୍ରମ ଶରୀର ପାଇଁ ବହୁତ ଭଲ। ତେବେ ଏହି ରିପୋର୍ଟରେ ଏକ ଭୟଭୀତ କରିବା ଭଳି ତଥ୍ୟ ଆସିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୩୦ ସୁଦ୍ଧା ୫୦୦ ମିଲିୟନ ଅଣସଂକ୍ରାମକ ରୋଗ ସାମ୍ନାକୁ ଆସିବ। ଯେଉଁଥିରୁ ପ୍ରାୟ ୪୭ ପ୍ରତିଶତ ଉଚ୍ଚ ରକ୍ତଚାପ ଏବଂ ୪୩ ପ୍ରତିଶତ ଡିପ୍ରେସନ କାରଣରୁ ଉତ୍ପନ୍ନ ହେବେ। ଡବ୍ଲୁଏଚଓ ଏହା ପଛର କାରଣ ମଧ୍ୟ କହିଛି। ରିପୋର୍ଟ ଅନୁଯାୟୀ ଶାରୀରିକ ପରିଶ୍ରମର ଅଭାବ ଏହି ରୋଗଗୁଡିକର ମୁଖ୍ୟ କାରଣ ହେବ। ମହିଳାଙ୍କ ମଧ୍ୟରେ ଏହି ରୋଗ ଅଧିକ ମାତ୍ରାରେ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

Leave A Reply

Your email address will not be published.