୪୦ ମାଙ୍କଡ଼କୁ ବିଷ ଦେଇ କିଏ କରିଛି ହତ୍ୟା ? ତଦନ୍ତ ଆରମ୍ଭ କଲା ପୁଲିସ

ହାଇଦ୍ରାବାଦ: ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ପଶୁ ହତ୍ୟା ବଢ଼ିବାରେ ଲାଗିଛି। କେବେ କୁକୁର ତ କେବେ ମାଙ୍କଡ଼ଙ୍କୁ ବହୁ ସଂଖ୍ୟାରେ ବିଷ ଦେଇ ହତ୍ୟା କରାଯାଉଛି। ଏବେ ଆନ୍ଧ୍ରପ୍ରଦେଶରେ ୪୦ ମାଙ୍କଡ଼ଙ୍କ ଶବ ଉଦ୍ଧାର କରାଯାଇଛି। ଏମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କବିତା ମଣ୍ଡଳର ଶିଲଗମ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ଲୋକେ ଏକ ବୁଦା ଭିତରେ ୪୦ ମାଙ୍କଡ଼ ମରିପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହି ମାଙ୍କଡ଼ମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ମରିପଡ଼ିଥିବା ମାଙ୍କଡ଼ଙ୍କ ମଧ୍ୟରୁ କିଛି ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ଅଚେତ ମାଙ୍କଡ଼ମାଙ୍କୁ ସ୍ଥାନୀୟ ଲୋକେ ଖାଇବାକୁ ଦେବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଖାଇବା ଭଳି ସ୍ଥିତିରେ ନିଥିଲେ। ଅଭିଯୋଗ ପାଇବା ପରେ ଏହି ଘଟଣାରେ ବନ ବିଭାଗ ମାଙ୍କଡ଼ମାନଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତା ସହିତ ବନ୍ୟଜନ୍ତୁ ଆଇନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଶ୍ରୀକାକୁଲମର କାଶିବୁଗା ଫରେଷ୍ଟ ଅଫିସର ମୁରଲୀ କ୍ରିଷ୍ଣନ “ ଶ୍ରୀକାକୁଲମ ଜିଲ୍ଲାରେ ଏଭଳି ଘଟଣା ଆମେ କେବେ ବି ଦେଖିନୁ। କେହି ଜଣେ ଏହି ମୃତମାଙ୍କଡ଼ମାନଙ୍କୁ ଟ୍ରକରେ ଆଣି ଗାଁର ଏହି ଜଙ୍ଗଲରେ ଫିଙ୍ଗି ଦେଇଯାଇଛି। ପାଖାପାଖି ୪୦-୪୫ ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର ହୋଇଛି।” ସେ ଆହୁରି ସୂଚନା ଦେଇଛନ୍ତି ଯେ ମାଙ୍କଡ଼ମାନଙ୍କର ପୋଷ୍ଟମର୍ଟମ କରାଯାଇଛି। ୫ ଦିନ ଭିତରେ ରିପୋର୍ଟ ଆସିବାକୁ ଥିବା ବେଳେ ବନ୍ୟାଜନ୍ତୁ ଆକ୍ଟରେ ମାମଲା ରୁଜୁ ହୋଇଛି। ତଦନ୍ତ ଚାଲିଛି। ଦୋଷୀକୁ ଖୁବଶୀଘ୍ର ଧରାଯିବ ବୋଲି ମୁରଲୀ କ୍ରଷ୍ଣନ କହିଛନ୍ତି।

Leave A Reply

Your email address will not be published.