ସିଡନୀ ୨୮।୧୦ : ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ପକ୍ଷରୁ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି ରୋହିତ ଶର୍ମା । ସେ ନେଦରଲାଣ୍ଡସ ବିପକ୍ଷରେ ୪ଟି ଚୌକା ଓ ୩ଟି ଛକା ବଳରେ ୫୩ ରନ୍ କରିଥିଲେ । ଏଥିସହ ଯୁବରାଜ ସିଂହଙ୍କ ସର୍ବାଧିକ ଛକା ରେକର୍ଡ ଭଙ୍ଗ କରିଥିଲେ । ଖବର ଅନୁଯାୟୀ, ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ରୋହିତ ମୋଟ୍ ୩୪ଟି ଛକା ମାରି ସାରିଛନ୍ତି । ପୂର୍ବରୁ ଭାରତ ପକ୍ଷରୁ ସର୍ବାଧିକ ଛକା ରେକର୍ଡ ଯୁବରାଜଙ୍କ ନାମରେ ରହିଥିଲା । ସେ ମୋଟ୍ ୩୩ଟି ଛକା ମାରିଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ସର୍ବାଧିକ ଛକା ରେକର୍ଡ ୱେଷ୍ଟ ଇଣ୍ଡିଜ୍ର କ୍ରିସ ଗେଲ୍ଙ୍କ ନାମରେ ରହିଛି । ସେ ମୋଟ୍ ୬୩ଟି ଛକା ମାରିଛନ୍ତି । ରୋହିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ୩୫ଟି ମ୍ୟାଚ୍ ଖେଳି ୩୭.୬୬ ହାରରେ ମୋଟ୍ ୯୦୪ ରନ୍ ସଂଗ୍ରହ କରିସାରିଛନ୍ତି । ଏଥିରେ ୯ଟି ଅର୍ଦ୍ଧଶତକ ରହିଛି । ସେହିପରି ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ତାଲିକାରେ ରୋହିତ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ସର୍ବାଧିକ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ସର୍ବାଧିକ ରନ୍ ତାଲିକାରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ଶୀର୍ଷରେ ରହିଛନ୍ତି । ସେ ମୋଟ୍ ୧୦୧୬ ରନ୍ ସଂଗ୍ରହ କରିଛନ୍ତି । ଏହାପରେ ବିରାଟ କୋହଲି ୯୮୯ ରନ୍ ସହ ଦ୍ୱିତୀୟ ଓ ଗେଲ୍ ୯୬୫ ରନ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି ।