ଧାମନଗର ଉପ-ନିର୍ବାଚନ: ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ଭଦ୍ରକ ୩୧/୧୦: ୩ ତାରିଖରେ ଭୋଟ୍‌, ୬ରେ ଗଣତି । ୧ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଚାରକୁ ଆଉ ମାତ୍ର କେତେ ଘଣ୍ଟା ବାକି ରହିଛି । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନଏସିର ୧୩ଟି ୱାର୍ଡ ଏବେ ଭୋଟ୍‌ ପ୍ରଚାରରେ କମ୍ପୁଛି । ତିହିଡ଼ି ବ୍ଲକର ୧୩ଟି ପଞ୍ଚାୟତରେ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ବିଜେଡ଼ି ଭୋଟ୍‌ ବିଭାଜନ ହେବାର ସମ୍ଭାବନା ରହିଛି । ତେଣୁ ଧାମନଗର ବ୍ଲକର ଡୋବଲ୍‌ ଅଞ୍ଚଳ କୁହାଯାଉଥିବା ୧୧ଟି ପଞ୍ଚାୟତ ଉପରେ ଏବେ ବିଜେଡିର ନଜର । ଏହି ୨୪ଟି ପଞ୍ଚାୟତର ଭୋଟ୍‌ ଉପରେ ବିଜେଡ଼ି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଛି । କିଏ ଜିତିବ ଧାମନଗରରେ ? ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ କେତେ ଭୋଟ୍‌ ପାଇବେ ? ବିଜେପି ଗଡ଼ ବଜାୟ ରଖିବ ନା ବିଜେଡ଼ି ଛଡ଼ାଇ ନେବ ? ଏପରି ଅନେକ ପ୍ରଶ୍ନ ଏବେ ଘୂରିବୁଲୁଛି ଧାମନଗର, ତିହିଡ଼ି ଅଞ୍ଚଳରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ମାରାଥନ୍‌ ପ୍ରଚାର କରିଯିବା ପରେ ବିଜେପି ଶିବିର ଏବେ ଉତ୍ସାହିତ । ବିଜେପି ନେତା ଓ କର୍ମୀଙ୍କ ମନୋବଳ ଶୀର୍ଷ ଛୁଇଁଛି । ବାପାଙ୍କ ବିୟୋଗ ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ଗାଁ ଗାଁ ବୁଲୁଛନ୍ତି । ଧାମନଗରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଏବେ ସୂରଜଙ୍କ ପାଇଁ ବଡ଼ ଅସ୍ତ୍ର ପାଲଟିଛନ୍ତି । ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ନିଜସ୍ୱ ସଂଗଠନ ସହ ମନମୋହନଙ୍କ ସମର୍ଥନ ମିଶି ସୂରଜ ବେଶ ବଳୀୟାନ ହୋଇଛନ୍ତି । ଯେକୌଣସି ମତେ ଏହି ସିଟ୍‌ ହାସଲ କରି ରାଜ୍ୟରେ ଉପନିର୍ବାଚନରେ ବିଜେଡ଼ିର ବିଜୟଧାରା ଭାଙ୍ଗିବାକୁ ବିଜେପି ଏବେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ।

Leave A Reply

Your email address will not be published.