ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପରେ ସ୍ପେନ ଚାମ୍ପିୟନ

ନଭି ମୁମ୍ବାଇ୩୧/୧୦: ଫାଇନାଲ ମ୍ୟାଚ୍‌ରେ କଲମ୍ବିଆକୁ ୧-୦ ଗୋଲରେ ପରାଜିତ କରି ସ୍ପେନ କ୍ରମାନ୍ୱୟରେ ଦ୍ୱିତୀୟ ଥର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଟାଇଟଲ ଜିତିବାର ଗୌରବ ହାସଲ କରିଛି । ବ୍ରୋଞ୍ଜ ପଦକ ମୁକାବିଲାରେ ନାଇଜେରିଆ ବିଜୟୀ ହୋଇଛି । ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଅନୁରୂପ ଖେଳ ଦେଖିବାକୁ ମିଳିଥିଲା । କିନ୍ତୁ ୮୨ ମିନିଟରେ କଲମ୍ବିଆର ଆନା ଗୁଜମାନଙ୍କ ତ୍ରୁଟି ଯୋଗୁ ଏକ ଆତ୍ମଘାତୀ ଗୋଲ ହୋଇଥିଲା । ଏହି ଗୋଲ୍‌ ହିଁ ମ୍ୟାଚ୍‌ର ନିର୍ଣ୍ଣାୟକ ଗୋଲ ଥିଲା । ୧-୦ ଗୋଲରେ ଆଗୁଆ ରହି ସ୍ପେନ ଶେଷ ୮ ମିନିଟରେ ବେଶ୍‌ ରକ୍ଷଣାତ୍ମକ ପ୍ରଦର୍ଶନ କରିଥିଲା । କଲମ୍ବିଆ ଆଉ ଗୋଲ ପରିଶୋଧ କରିବାର ସୁଯୋଗ ପାଇ ନଥିଲା । ଇନ୍‌ଜ୍ୟୁରୀ ଟାଇମ୍‌ରେ ମଧ୍ୟ କିଛି ଚମତ୍କାର ଦେଖିବାକୁ ମିଳି ନଥିଲା । ଶେଷରେ ସ୍ପେନ ୧-୦ ଗୋଲରେ ବିଜୟୀ ହୋଇ ଟାଇଟଲ ବଜାୟ ରଖିଥିଲା । ପୂର୍ବରୁ ସ୍ପେନ ୨୦୧୮ରେ ପ୍ରଥମ ଥର ଚାମ୍ପିଅନ ହେବାର ସୁଯୋଗ ପାଇଥିଲା । ଏହାପୂର୍ବରୁ ୨୦୧୦ ଓ ୨୦୧୬ରେ ବ୍ରୋଞ୍ଜ ପଦକ ଜିତିଥିଲା । କଲମ୍ବିଆ ପ୍ରଥମ ଥର ଫାଇନାଲରେ ଖେଳି ରନ୍‌ର୍ସ ଅପ୍‌ରେ ସନ୍ତୁଷ୍ଟ ରହିଛି ।

Leave A Reply

Your email address will not be published.