ନୂଆଦିଲ୍ଲୀ: ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପ୍ରତି ୪୦ ପଇସା କମିବ ବୋଲି ସୋମବାର ଘୋଷଣା କରିଥିଲେ ତୈଳ ବିପଣନକାରୀ କମ୍ପାନି। ମଙ୍ଗଳବାର ସକାଳ ୬ଟା ଠାରୁ ନୂଆ ମୂଲ୍ୟ ଲାଗୁ ହେବ ବୋଲି ସୂଚନା ମିଳିଥିଲା। ଏପରିକି ପେଟ୍ରୋଲ ଓ ଡିଜେଲ ଦରର ୪୦-୪୦ ପଇସା ହ୍ରାସ କରିବା ପାଇଁ ତୈଳ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଇଥିଲେ। ଏହା ଜନତାଙ୍କ ପାଇଁ ବଡ ଆଶ୍ଵସ୍ତିକର ଖବର ଥିଲା। ତେବେ ମଙ୍ଗଳବାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଘଟିଛି। ଇଣ୍ଡିଆନ ଓଏଲ କର୍ପୋରେସନ(ଆଇଓସି) କହିଛି ଯେ, ସୋମବାର ପେଟ୍ରୋଲ ଏବଂ ଡିଜେଲ୍ ଲିଟର ପିଛା ୪୦ ଟଙ୍କା ହ୍ରାସ ନେଇ ଯେଉଁ ଘୋଷଣା ହୋଇଥିଲା ତାହା ଲାଗୁ ହେବ ନାହିଁ। ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯୬.୭୨ ଟଙ୍କାରେ ସ୍ଥିର ରହିଥିବା ବେଳେ ମୁମ୍ବାଇରେ ୧୦୬.୩୧, କୋଲକାତାରେ ୧୦୬.୦୩ ଓ ଚେନ୍ନାଇରେ ୧୦୩.୬୩ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ୧୦୩.୧୧ ପଇସା ରହିଛି। ଏହା ପୂର୍ବରୁ ଏପ୍ରିଲ ମାସରେ ଶେଷ ଥର ତେଲ ମୂଲ୍ୟରେ ହ୍ରାସ ପାଇଥିଲା। ମେ ୨୨ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଶୁଳ୍କ ହ୍ରାସ କରିଥିଲେ।