ଇତିହାସରେ ପ୍ରଥମ, ସିଆରପିଏଫରେ ଦୁଇ ମହିଳା ଅଧିକାରୀ ପାଇଲେ ଆଇଜି ରାଙ୍କ୍

ନୂଆଦିଲ୍ଲୀ(୦୩/୧୧): କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) ଇତିହାସରେ ଏକ ନୂଆ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ସ୍ଥାପନା ପରଠାରୁ ୩୫ ବର୍ଷର ଇତିହାସରେ ପ୍ରଥମ ଥର ସିଆରପିଏଫରେ ଦୁଇ ମହିଳା ଅଧିକାରୀଙ୍କୁ ଆଇଜି ପଦକୁ ପଦୋନ୍ନତି ହୋଇଛନ୍ତି। ଏମିତିରେ ତ ସିଆରପିଏଫରେ ୧୯୮୭ ରେ ମହିଳାମାନେ କାର୍ଯ୍ୟରତ। କିନ୍ତୁ ଏଭଳି ଅଧିକାରୀ ପଦବୀ କେହି ହାସଲ କରିନଥିଲେ। ଏହି ସଫଳତା ହାସଲ କରିଥିବା ଦୁଇ ମହିଳା ଅଧିକାରୀ ହେଉଛନ୍ତି ଆଇଜି ସୀମା ଧୁଣ୍ଡିଆ ଏବଂ ଆଇଜି ଏନୀ ଆବ୍ରାହମ। ଆଇଜି ସୀମା ଧୁଣ୍ଡିଆଙ୍କୁ ସିଆରପିଏଫର ବିହାର ସେକ୍ଟରର ନେତ୍ବୃତ୍ବ କରିବାର ଦାୟିତ୍ବ ମିଳିଛି। ସେହିପରି ଆଇଜି ଏନୀ ଆବ୍ରାହମ ରାପିଡ ଆକ୍ସନ ଫୋର୍ସର ନେତୃତ୍ବ କରିବେ। ସିଆରପିଏଫ ରାପିଡ୍ ଆକ୍ସନ ଫୋର୍ସର ସ୍ଥାପନା ୧୯୯୨ ରେ ହୋଇଥିଲା। ୩୦ ବର୍ଷର ଇତିହାସରେ ପ୍ରଥମ ଥର ଜଣେ ମହିଳା ଅଧିକାରୀ ଆରଏଏଫର ନେତୃତ୍ବ କରିବାକୁ ଯାଉଛନ୍ତି। ସିଆରପିଏଫର ମହିଳାଙ୍କୁ ସଶକ୍ତ କରିବାକୁ ଇତିହାସ ରହିଛି। ୧୯୮୬ରେ ଦେଶରେ ପ୍ରଥମ ଥର ମହିଳା ବାଟାଲିୟନ ସ୍ଥାପିତ କରିବାର ଗୌରବ ମଧ୍ୟ ସିଆରପିଏଫ ପାଖରେ ରହିଛି। ସୀମା ଧୁଣ୍ଡିଆ ଏବଂ ଏନୀ ଆବ୍ରାହମ ମଧ୍ୟ ଏହି ପ୍ରଥମ ବ୍ୟାଚରେ ସାମିଲ ଥିଲେ। ଆଇଜି ସୀମା ଧୁଣ୍ଡିଆ ଦେଶରେ ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳରେ ସେବା ପ୍ରଦାନ କରିଛନ୍ତି। ସେ ସିଆରପିଏଫର ଅନ୍ୟ ବାଟାଲିୟନକୁ ବଢ଼ାଇବାରେ ସକ୍ରିୟ ଭୂମିକା ନିଭାଇବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀ ମଧ୍ୟ ସମ୍ଭାଳିଛନ୍ତି। ଆଇଜି ଏନୀ ଆବ୍ରାହମ ଲାଇବେରିଆରେ ସଂଯୁକ୍ତ ରାଷ୍ଟ୍ର ମିଶନରେ ସବୁ ମହିଳା ଏଫପୀୟୁର ନେତୃତ୍ବ ବ୍ୟତୀତ, ସିଆରପିଏଫ ମୁଖ୍ୟାଳୟରେ ଡିଆଇଜି ଇଣ୍ଟେଲିଜେନ୍ସ, କାଶ୍ମୀର ଅପରେସନ ସେକ୍ଟରରେ ଡିଆଇଜି ଅପରେସନ୍ସ ଏବଂ ଡିଆଇଜି ସେଣ୍ଟ୍ରାଲ ରିଜର୍ଭ ଏବଂ ସତର୍କତା ଭାବରେ କାର୍ଯ୍ୟ କରିଛନ୍ତି। ଦୁଇ ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ, ଉତ୍କୃଷ୍ଟ ସେବା ପାଇଁ ପୋଲିସ ପଦକ ଏବଂ  ଅତି ଉତ୍କୃଷ୍ଟ ସେବା ପଦକ ବ୍ୟତୀତ ଅନ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.