ଛାଡଖାଇ ପୂର୍ବରୁ ବାଧିଲାଣି ପିଆଜ ଦର

ଭୁବନେଶ୍ୱର, ୦୮/୧୧: ଦରଦାମ ବୃଦ୍ଧି ଖାଉଟିଙ୍କ ଅଣ୍ଟା ମୋଡ଼ି ଦେଲାଣି । ୨ ସପ୍ତାହରୁ କମ୍‌ ସମୟ ମଧ୍ୟରେ ପିଆଜ ୧୫ ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି । କାର୍ତ୍ତିକ ମାସ ଶେଷ ହେବା ସହ ପୁଣି ବାଧିଲାଣି ପିଆଜ ଯନ୍ତ୍ରଣା । ହାଣ୍ଡିଶାଳରେ ଏହି ପରିବାଟିର ଆବଶ୍ୟକତାକୁ ଏଡାଯାଇ ପାରି ନ ଥାଏ । ଏଭଳି କ୍ଷେତ୍ରରେ ଏକାଥରେ ଏତେ ମାତ୍ରାରେ ଦର ବୃଦ୍ଧି ଯୋଗୁ ଖାଉଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଏବେ କିଲୋ ପିଛା ପିଆଜ ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି । ଉତ୍ପାଦନ ଏବଂ ଯୋଗାଣ କମିବା ଯୋଗୁ ଏଭଳି ସ୍ଥିତି ଉପୁଯିଛି । ଏପଟେ ଖୁଚୁରା ବ୍ୟବସାୟୀମାନେ ମନମୁଖୀ ଭାବେ ଦର କଷୁଥିବା ମଧ୍ୟ ନଜରକୁ ଆସିଛି । ଏହା ଉପରେ କାହାର ନିୟନ୍ତ୍ରଣ ରହୁ ନ ଥିବା ଦେଖାଯାଉଛି । ଚଳିତ ବର୍ଷ ବନ୍ୟାରେ ପିଆଜ ସହ ବିଭିନ୍ନ ଫସଲ ନଷ୍ଟ ହୋଇଛି । ଉତ୍ପାଦନ ପ୍ରାୟ ୨୫ରୁ ୩୦% ବାଧାପ୍ରାପ୍ତ ହୋଇଛି । ପିଆଜ ସାଧାରଣତଃ ବର୍ଷକୁ ୩ଥର ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ବାହାରିବାକୁ ଥିବା ଫସଲ ବଜାରକୁ ଆସିପାରିନାହିଁ । ଫସଲ ଉଜୁଡିଯାଇଥିବାରୁ ବଜାରରେ ଉପଲବ୍ଧତା ପ୍ରଭାବିତ ହୋଇଛି । ଫଳରେ ଖୁଚୁରା ବଜାରରେ ଦର ହଠାତ ବଢ଼ିଯାଇଛି । ଅପରପକ୍ଷରେ ଯେଉଁ ପୁରୁଣା ପିଆଜ ରହିଛି ତାହା ବିକ୍ରି ହେଉଛି । କିଞ୍ଚିତ ପରିମାଣର ନୂଆ ପିଆଜ ରାଜ୍ୟ ବାହାରୁ ଆସିଛି, ଯାହା ଚାହିଦା ତୁଳନାରେ କମ୍‌ । ଏପଟେ ସ୍ଥିତିର ଫାଇଦା ନେଇ ନୂଆ ପିଆଜ ମଧ୍ୟ ଚଢ଼ା ଦରରେ କିଛି କିଛି ସ୍ଥାନରେ ବିକ୍ରି ହେଉଥିବା ଖାଉଟି ଅଭିଯୋଗ କରିଛନ୍ତି । ରାଜ୍ୟରେ ବାର୍ଷିକ ୫.୩୦ ଲକ୍ଷ ଟନ୍‌ ପିଆଜ ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟ ମାତ୍ର ୭୦ରୁ ୮୦ ହଜାର ଟନ୍‌ ପିଆଜ ଉତ୍ପାଦନ କରିବାକୁ ସକ୍ଷମ । ଫଳରେ ଅଧିକାଂଶ ପିଆଜ ଲାଗି ରାଜ୍ୟ ବାହାର ବଜାର ଉପରେ ନିର୍ଭର କରିବାକୁ ପଡୁଛି । ରାଜ୍ୟର ଦୈନିକ ପିଆଜ ଚାହିଦା ୪୦ରୁ ୪୫ ଟନ୍‌ ରହୁଛି । ଓଡ଼ିଶା ମୁଖ୍ୟତଃ ବର୍ଷର ସବୁ ସମୟରେ ନାସିକ ଉପରେ ନିର୍ଭର କରୁଛି । ଏହାବାଦ ବାଙ୍ଗାଲୋର ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନଗୁଡିକ ଉପରେ ମଧ୍ୟ ରାଜ୍ୟର ନିର୍ଭରଶୀଳତା ରହିଛି । ଏଭଳି ସ୍ଥିତିରେ ଦର ନିକଟ ଭବିଷ୍ୟତରେ ନିୟନ୍ତ୍ରଣ ସ୍ଥିତିକୁ ଆସିବ ନାହିଁ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି । କାରଣ ଆଗାମୀ ଦିନରେ ନୂଆ ଫସଲ ଆସିବାକୁ ପ୍ରାୟ ମାସକରୁ ଅଧିକ ସମୟ ଲାଗିପାରେ । ଏହାକୁ ଦେଖିଲେ ଆଗାମୀ ଦିନଗୁଡିକରେ ମଧ୍ୟ ଦର ବୃଦ୍ଧି ଚାପରେ ଖାଉଟି ତଉଲି ହେବାର ଆଶଙ୍କା କରାଯାଇଛି ।

Leave A Reply

Your email address will not be published.