ହତ୍ୟା ଓ ଦୁଷ୍କର୍ମ ଅଭିଯୁକ୍ତ ଗୁରମୀତ ରାମ ରହୀମ ସତସଂଗରେ ଯୋଗ ଦେଲେ ୩୦୦ ଛାତ୍ରଛାତ୍ରୀ

ଚଣ୍ଡିଗଡ଼: ଜେଲରୁ ପାରୋଲ୍‌ରେ ବାହାରି ସତସଂଗ କରିବା ଆରମ୍ଭ କରିଦେଇଛି ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହୀମ। ତା ବିରୋଧରେ ହତ୍ୟା ଓ ଦୁଷ୍କର୍ମ ଭଳି ସଂଗୀନ ଅଭିଯୋଗ ରହିଛି। ତଥାପି ଗୁରମୀତର ସତସଂଗରେ ଯୋଗ ଦେଉଛନ୍ତି ପିଲା ଠାରୁ ବୁଢ଼ା। ଶନିବାର ତାଙ୍କ ସତସଂଗରେ ଅନ୍‌ଲାଇନ ମାଧ୍ୟମରେ ଶତାଧିକ ସ୍କୁଲ୍ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।  ନଭେମ୍ବର ୧୭ ତାରିଖରେ ଉତ୍ତରପ୍ରଦେଶ ଶାହାଜାନପୁର ଜିଲ୍ଲାର ବିଷ୍ଣୁ ବାଟିକା ବଙ୍ଗଳାରେ ଏହି ସତସଂଗରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ସ୍କୁଲ୍‌ ୟୁନିଫର୍ମ ପିନ୍ଧିଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ତୁରନ୍ତ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଆୟୋଜକଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ। ହୋହଲ୍ଲା ପରେ ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ସ୍ଥିତି ନୟନ୍ତ୍ରଣ କରିବା ସହିତ ପଚରାଉଚରା ପାଇଁ ଆୟୋଜକଙ୍କୁ ଅଟକ ରଖିଛି। ଶିକ୍ଷା ଅଧିକାରୀ ସୁରେନ୍ଦ୍ର ଘଟଣା ବିଷୟରେ ଅବଗତ ଅଛନ୍ତି। ଛାତ୍ରଛାତ୍ରୀଙ୍କ ସତସଂଗରେ ଯୋଗ ଦେବା ଘଟଣାର ତଦନ୍ତ ହେବ ବୋଲି ସେ କହିଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।  

Leave A Reply

Your email address will not be published.