ଭାଇରାଲ ହେଉଛି ଶ୍ରଦ୍ଧା ଓ୍ୱାକରଙ୍କ ୨୦୨୦ର ଚିଠି

ନୂଆଦିଲ୍ଲୀ ୨୪/୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକରଙ୍କ ହତ୍ୟାକାଣ୍ଡ ମାମଲାରେ ବୁଧବାର ନୂଆ ଖୁଲାସା ହୋଇଛି । ଲିଭ୍‌-ଇନ୍‌ ପାର୍ଟନର ଅଫ୍‌ତାବ ଅମିନ୍‌ ପୁନାୱାଲାର ହିଂସାତ୍ମକ ବ୍ୟବହାର ସଂପର୍କରେ ଶ୍ରଦ୍ଧା ୨ ବର୍ଷ ପୂର୍ବରୁ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଅଫ୍‌ତାବ ତାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ମହାରାଷ୍ଟ୍ର ପୁଲିସ ଅନୁସାରେ, ୨୦୨୦ ନଭେମ୍ବର ୨୩ରେ ମୁମ୍ବାଇର ତୁଲିଞ୍ଜ ପୁଲିସକୁ ଶ୍ରଦ୍ଧା ଏକ ଚିଠି ଲେଖିଥିଲେ । ସେଥିରେ ସେ ଦର୍ଶାଇଥିଲେ, ‘‘ଅଫ୍‌ତାବ ମୋତେ ସବୁବେଳେ ଗାଳିଗୁଲଜ ସହ ମାରପିଟ କରୁଛି । ଆଜି ମୋତେ ସେ ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ କରିଥିଲା । କେବଳ ସେତିକି ନୁହେଁ, ମୋତେ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗିଦେବାକୁ ସେ ଧମକ ଦେଇଛିି । ସେ ମୋତେ ପ୍ରାୟ ୬ ମାସ ହେଲା ମାରପିଟ କରୁଥିଲେ ବି ପୁଲିସ ନିକଟକୁ ଯିବାକୁ ମୋର ସାହସ ହେଉନଥିଲା । କାରଣ ଏପରି କଲେ ସେ ମୋତେ ମାରିଦେବ ବୋଲି ଧମକ ଦେଉଛି । ତାଙ୍କ ବାପା, ମା ବି ଏ କଥା ଜାଣିଛନ୍ତି । ମୁଁ ଅଫ୍‌ତାବ ସହ ରହିଆସୁଥିଲି କାରଣ ଆମର ଶୀଘ୍ର ବାହାଘର ହେବାର ଥିଲା । ଏବେ କିନ୍ତୁ ତା’ ସହ ରହିବାକୁ ମୁଁ ଚାହୁଁନାହିଁ । ଏହି ମାମଲାରେ ଯଦି ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତା’ ହେଲେ ଅଫ୍‌ତାବ ମୋତେ ସତରେ ଖଣ୍ଡ ଖଣ୍ଡ କରି କାଟିଦେବ ।’’ ଅଭିଯୋଗ ପାଇବା ପରେ ତୁଲିଞ୍ଜ ପୁଲିସ ଅଫ୍‌ତାବର ଘରକୁ ତଦନ୍ତ ପାଇଁ ଯାଇଥିଲା । ପରେ କିନ୍ତୁ ଶ୍ରଦ୍ଧା ନିଜର ଅଭିଯୋଗ ଫେରାଇ ନେଇଥିଲେ । ଏହି ଘଟଣା ପରେ ସେମାନେ ପୁଣି ଏକାଠି ରହିଥିଲେ । ସେପଟେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ୨୦୨୦ରେ ଶ୍ରଦ୍ଧାଙ୍କ ଅଭିଯୋଗ ପରେ କ’ଣ ପାଇଁ ପଦକ୍ଷେପ ନିଆଗଲା ନାହିଁ ସେ ସଂପର୍କରେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.