ଆୟତ୍ତ ହେଉନି ଦିଲ୍ଲୀ ଚାନ୍ଦିନୀ ଚୌକ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀର ଚାନ୍ଦିନୀ ଚୌକ ସ୍ଥିତ ଭାଗିରଥୀ ପ୍ୟାଲେସ୍ ମାର୍କେଟ୍‌ରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦମକଳର ୪୦ ଗାଡି ରାତିରୁ ନିଆଁ ଲିଭାଇ ପାଇଁ ଉଦ୍ୟମ ଚଳାଇଛନ୍ତି। ଅଗ୍ନିକାଣ୍ଡରେ କୌଣସି ମୃତାହତର ସୂଚନା ନାହିଁ। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବାହିନୀ ରିମୋଟ୍ କଣ୍ଟ୍ରୋଲରେ ପରିଚାଳିତ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କରିଛନ୍ତି। ତଥାପି ଏ ପର୍ଯ୍ୟନ୍ତ ନିଆଁକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରି ନାହିଁ। ଅଗ୍ନିଶମ ବିଭାଗ ଅନୁଯାୟୀ, ଗୁରୁବାର ରାତି ୯ଟା ୧୯ ରେ ଭାଗିରଥୀ ପ୍ୟାଲେସ୍‌ରେ ଥିବା ଦୋକାନରେ ଅଚାନକ ନିଆଁ ଲାଗି ଯାଇଥିଲା। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ନିଆଁର ପ୍ରକୋପ ଏତେ ଥିଲା ଯେ, କେହି ମୁହୂର୍ତ୍ତରେ ଆଖପାଖ ଦୋକାନକୁ ବ୍ୟାପି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡିନାହିଁ। ଏହି ଅଗ୍ନିକାଣ୍ଡରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପି ଯାଇଥିଲା। ଦୋକାନୀଙ୍କ ଦୋକାନଗୁଡିକ ଜଳିପୋଡି ଛାରଖାର ହୋଇ ଗଲାଣି। ଆଖପାଖର ଅନ୍ୟ ଦୋକାନୀ ରାତିସାରା ନିଜ ଦୋକାନର ସାମାନ ବାହାର କରିବା ଜୁଟି ଯାଇଥିଲେ। ଅଗ୍ନିକାଣ୍ଡ ସମୟରେ ଦୋକାନ ବଜାର ବନ୍ଦ ହୋଇ ସାରିଥିଲା ଏବଂ ଦୋକାନୀ ଘରକୁ ଫେରି ସାରିଥିଲେ।

Leave A Reply

Your email address will not be published.