ଶ୍ରେୟସ ଏବଂ ଧାଓ୍ଵନଙ୍କ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡକୁ ୩୦୭ ରନ ଟାର୍ଗେଟ୍ ଦେଲା ଭାରତ

ଅକଲାଣ୍ଡ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ପ୍ରଥମ ଦିନିକିଆରେ ଭାରତୀୟ ବ୍ୟାଟସମ୍ୟାନଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୩୦୬ ରନ କରିଛି। ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୮୦ ରନର ବହୁମୂଲ୍ୟ ଇନିଂସ ଖେଳିଛନ୍ତି। ତାଙ୍କ  ବ୍ୟତୀତ ଅଧିନାୟକ ଶିଖର ଧାଓ୍ଵନ ୭୨ ରନ ଏବଂ ଶୁଭମାନ ଗିଲ୍ ୫୦ ରନ କରିଛନ୍ତି। ସଞ୍ଜୁ ସାମନ ୩୬ ରନ କରିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ୧୬ ବଲ୍‌ ୩୭ ରନର ଅପରାଜିତ ଧୂଆଁଧାର ଇନିଂସ ଖେଳିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗ୍ୟୁସନ ୩ଟି ଓ୍ଵିକେଟ୍  ଏବଂ ଟିମ ସାଉଦି ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୭୫ ରନ ଦେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଶିଖର ଧାଓ୍ଵନ ଏବଂ ଶୁଭମାନ ଗିଲ୍ ଦୃଢ ଆରମ୍ଭ ଦେଇଥିଲେ। ପ୍ରଥମ ଓ୍ଵିକେଟ୍‌ରେ ୧୨୪ ରନ କରିଛନ୍ତି। ତେବେ ଏହି ସ୍କୋରରେ ଦୁଇ ଓପନର ପାଭିଲିୟନ ଫେରିଥିଲେ।ଗିଲ୍ ୬୫ ବଲ୍‌ରୁ ୧ ଚୌକା ଏବଂ ୩ ଛକା ସହ ୫୦ ରନ କରି ଆଉଟ୍ ହୋଇଛନ୍ତି। ଧାଓ୍ଵନ ନିଜର ଅଧିନାୟକତ୍ଵ ଇନିଂସ ଖେଳି ୭୭ ବଲ୍‌ରୁ ୧୩ ଚୌକା ସହ ୭୨ ରନ କରିଥିଲେ। ଏହା ପରେ ଶ୍ରେୟସ ଆୟର ଇନିଂସ ସମ୍ଭାଳିଥିଲେ। ଋଷଭ ପନ୍ତ ୧୫ ରନ କରି ପାଭିଲିୟନ ଫେରିଥିଲେ। ତେବେ ଦୁନିଆର ଟି-୨୦ର ଏକ ନମ୍ବର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ(୪) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଆୟର ଏବଂ ସଞ୍ଜୁ ସାମସନ ପଞ୍ଚମ ଓ୍ଵିକେଟ୍‌ରେ ୯୪ ରନ ଯୋଡିଥିଲେ। ସାମସନ ୩୮ ବଲ୍‌ରୁ ୪ ଚୌକା ସହ ୩୬ ରନ କରି ଆଉଟ୍  ହୋଇଥିଲେ। ଏହି କ୍ରମରେ ଶ୍ରେୟସ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ଆଡକୁ ଓ୍ଵାଶିଂଟନ ସୁନ୍ଦର ବିସ୍ଫୋରକ ବ୍ୟାଟିଂ କରିଥିଲେ। ୫୦ ତମ ଓଭରରେ ଆୟର ପାଭିଲିୟନ ଫେରିଥିଲେ। ସେ ୭୬ ବଲ୍‌ରୁ ୪ଟି ଲେଖାଏଁ ଚୌକା ଏବଂ ଛକା ଜରିଆରେ ୮୦ ରନ କରିଥିଲେ। ଓ୍ଵାଶିଂଟନ  ସୁନ୍ଦର ୧୬ ବଲ୍‌ରୁ ୩ଟି ଚୌକା ଏବଂ ୩ ଛକା ସହ ୩୭ ରନ କରି ଅପରାଜିତ ଥିଲେ। ଏହିପରି ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ବିନିମୟରେ ୩୦୬ ରନ କରିଥିଲା।  

Leave A Reply

Your email address will not be published.