ଇଣ୍ଡୋନେସିଆରେ ଫାଟିଲା ଜ୍ବାଳାମୁଖୀ, ମାଉଣ୍ଟ ସେମେରୋରେ ୧୨ ହଜାର ଫୁଟ୍ ଉଚ୍ଚରେ ଲାଭା ନିର୍ଗତ, ଧୂଆଁ ଧୂଆଁ ଅଞ୍ଚଳ

ଆଦିଲ୍ଲୀ ୦୫/୧୨: ଇଣ୍ଡୋନେସିଆରେ ଫାଟିଲା ଜ୍ବାଳାମୁଖୀ । ରବିବାର ଇଣ୍ଡୋନେସିଆର ମାଉଣ୍ଟ ସେମେରୋରେ ଅଚାନକ ଜ୍ୱାଳାମୁଖୀ ଫାଟିଛି । ଫଳରେ ପ୍ରାୟ ୧୨ ହଜାର ଫୁଟ ଉଚ୍ଚ ଏହି ଜ୍ୱାଳାମୁଖୀ ପାହାଡରୁ ବିପୁଳ ଲାଭା, ଗରମ ଗ୍ୟାସ୍ ଓ ଧୂଆଁ ବାହାରି ସମଗ୍ର ଅଞ୍ଚଳକୁ ଧୂଆଁ ଧୂଆଁ କରି ଦେଇଛି । ଜ୍ୱାଳାମୁଖୀର ଲାଭା, ନିକଟରେ ଥିବା ଚାଷଜମିରେ ମାଡ଼ିଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ମାଉଣ୍ଟ ସେମେରୋ ପାହାଡ଼ ଗତ କିଛିଦିନ ହେଲା କୁହୁଳିବାରେ ଲାଗିଥିଲା । ହେଲେ ମୌସୁମୀ ଜନିତ ବର୍ଷା ଯୋଗୁ ହଠାତ୍ ଜ୍ୱାଳାମୁଖୀ ଫାଟିଥିବା କୁହାଯାଉଛି । ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖପାତ୍ର ଅବଦୁଲ ମୁହାରିଙ୍କ ସୂଚନା ଅନୁସାରେ ଜ୍ୱାଳାମୁଖୀର ପ୍ରବଳ ଧୂଆଁ ଆଖପାଖ ଅନେକ ଗାଁକୁ ଆଚ୍ଛାଦିତ କରିଦେଇଛି । କଳା ଧୂଆଁରେ ଆକାଶରେ କଳା ବାଦଲ ସୃଷ୍ଟି ହୋଇଛି । ସବୁଆଡେ ଅନ୍ଧାର ଘୋଟି ଯାଇଛି । ସ୍ଥିତି ଏପରି ହୋଇଛି ଯେ ଦିନରେ ବି ଲୋକେ ଲାଇଟ୍ ଜଳାଉଛନ୍ତି । ଏହି ଜ୍ୱାଳାମୁଖୀ ଫାଟିବା ଫଳରେ ଗରମ ଗ୍ୟାସ୍‌ ଓ ଲାଭା ୮ କି.ମି. ପର୍ଯ୍ୟନ୍ତ ମାଡ଼ି ଆସିଥିଲା । ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୨୦ କି.ମି. ଦୂରରେ ଏକ ସ୍କୁଲରେ ଆଶ୍ରୟ ନେଇଛନ୍ତି ଲୋକେ । ଏହି ଜ୍ୱାଳାମୁଖୀର ରେଡ୍ ଜୋନ୍‌ରେ ରହିଛି ୩ ହଜାର ଘର । ସମସ୍ତ ପରିବାରକୁ ସ୍ଥାନାନ୍ତର କରାଯାଇଛି । ଧୂଆଁର ବାଦଲ ପ୍ରାୟ ୫ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ଯାଇଛି । ପାହାଡରୁ ନିର୍ଗତ ହେଉଥିବା ଲାଭା ବେସୁକ କୋବୋକାନ ନଦୀ ପାଣିରେ ମିଶିଛି ।

Leave A Reply

Your email address will not be published.