ଖାରବେଳଙ୍କ ପୂର୍ବାନୁମାନକୁ ନେଇ ବିବାଦ: ପଦ୍ମପୁର ବିଜୟକୁ ନେଇ ବୟାନବାଜି

ଭୁବନେଶ୍ବର: ଗୁରୁବାର ପଦ୍ମପୁର ଉପନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବାବେଳେ ଏଥିରେ ବିଜେଡି ନା ବିଜେପି ଜିତିବ ସେନେଇ ବୟାନବାଜି ଆରମ୍ଭ ହୋଇଗଲାଣି। ପଦ୍ମପୁରରେ ବିଜେଡି ଜିତିବ ବୋଲି ବିଜେପି ନେତା ଖାରବେଳ ସ୍ବାଇଁ କହିବା ପରେ ତାଙ୍କୁ ବିଜେପି ନେତାମାନେ କଟାକ୍ଷ କରିବା‌ ଆରମ୍ଭ କରିଦେଇଛନ୍ତି। ଆଜି ଗଣମାଧ୍ୟମକୁ ବୟାନ ଦେଇ ଶ୍ରୀ ସ୍ବାଇଁ କହିଥିଲେ ଯେ, ପଦ୍ମପୁରରେ ବିଜେଡି ୩ରୁ ୫ହଜାର ଭୋଟ୍‌ରେ ଜିତିବ। ଶାସନରେ ଥିବା ଦଳ ଉପନିର୍ବାଚନରେ ଜିତିଥାଏ। ବିଜେଡି ଟଙ୍କା ବାଣ୍ଟୁଛି, ପୁଲିସ ତାକୁ ସାହାଯ୍ୟ କରୁଛି। ତାଙ୍କ ସର୍ଭେ ରିପୋର୍ଟ ଅନୁସାରେ ବିଜେଡି ଜିତୁଛି। ବିଜେଡି ମିଳିତ ଭାବେ କାମ କରୁଛି, ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ କରିପାରିଲେ। କିନ୍ତୁ ବିଜେପି ତା’ର ସବୁ ଶକ୍ତି ପ୍ରୟୋଗ କରିପାରୁନାହିଁ। ଯଦି ବିଜେପି ତା’ର ସବୁ ଶକ୍ତି ପ୍ରୟୋଗ କରିପାରନ୍ତା ତେବେ ଆଉ ଭଲ କରିପାରିଥାନ୍ତା। ରବେଳଙ୍କ ଏହି ବୟାନକୁ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ବିରୋଧ କରି କହିଛନ୍ତି ଯେ, ଖାରବେଳ ବାବୁ କେମିତି ଆକଳନ କଲେ ମୁଁ ଜାଣି ନାହିଁ। ‌ସେ ପଦ୍ମପୁର ଯାଇନାହାନ୍ତି କି କ୍ୟାମ୍ପେନରେ ବି ନଥିଲେ। କିନ୍ତୁ ଏକଥା ସ୍ପଷ୍ଟ ଯେ, ପଦ୍ମପୁରରେ ଯେଉଁମାନେ ପ୍ରଚାର କରିଛନ୍ତି ଏବଂ ମତଦାନ ଦିନ ପର୍ଯ୍ୟନ୍ତ ଯେଉଁଭଳି ମାହୋଲ୍ ଥିଲା ସେଥିରୁ ବିଜେପିର ବିଜୟ ନିଶ୍ଚୟ ଜଣାପଡ଼ୁଛି। ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ପଦ୍ମପୁରରେ ପଦ୍ମ ଫୁଟିବ। ଯେତେବେଳେ ବି ନିର୍ବାଚନରେ ଅଧିକ ପ୍ରତିଶତ ଭୋଟ୍ ହୁଏ, ତା’ର ଅର୍ଥ ‌ ହେଉଛି ସରକାରୀ ବିରୋଧୀ ହାଵା। ଏଥର ଅଧିକ ପ୍ରତିଶତ ମତଦାନ ହୋଇଥିବାରୁ ଆମେ ବହୁତ ଆଶାବାଦୀ। ଆମେ ନିର୍ବାଚନରେ ଶତ ପ୍ରତିଶତ ଦେଇଛୁ। ଆଶା କରୁଛୁ ପଦ୍ମପୁରବାସୀ ଆମକୁ ଆଶୀର୍ବାଦ ଦେବେ। ଆସନ୍ତା ୮ତାରିଖରେ ଆପଣ ଦେଖିବେ, ମୁଁ ବି ଦେଖିବି। ବିଜେପି ନେତାମାନେ ଖାରବେଳଙ୍କ ବୟାନକୁ ଭୁଲ୍‌ ବୋଲି ପ୍ରମାଣିତ କରିବାକୁ ବୟାନ ରଖିଥିଲେ ହେଁ କଂଗ୍ରେସ ବିଧାୟକ ସୁର ରାଉତରାୟ କିନ୍ତୁ କହିଛନ୍ତି ଯେ ବିଜେଡି ପଦ୍ମପୁରରେ ୪୦କୋଟି ଖର୍ଚ୍ଚ କରିଥିବାରୁ ପ୍ରଥମ ସ୍ଥାନରେ ରହିବ। ବିଜେପି ଦ୍ବିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିବ। କଂଗ୍ରେସ ଭୋଟ୍‌ଗୁଡ଼ାକ ଉଭୟ ବିଜେଡି ଓ ବିଜେପି କିଣିଛନ୍ତି। ଅପରପକ୍ଷେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ପଦ୍ମପୁରରେ ବିଜେଡି ୨୦୧୯ ତୁଳନାରେ ବହୁ ଭୋଟ୍‌ ବ୍ୟବଧାନରେ ଜିତିବ। ୨୦୧୯ରେ ଆମେ ସାଢେ ୫ହଜାର ଭୋଟ୍‌ରେ ଜିତିଥିଲୁ। ଏଥର ବହୁଗୁଣିତ ହେବ। ନବୀନଙ୍କ ନେତୃତ୍ବରେ ପୂରା ଟିମ୍ ଲଢ଼ୁଥିଲା। ସବୁ ବର୍ଗର ନେତା ମଇଦାନରେ ସକ୍ରିୟ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଯିବା ପରେ ଭୋଟ୍ ହାର ବଢ଼ିବା ସହ ବିଜେଡିର ବିଜୟ ସୁନିଶ୍ଚିତ ହୋଇଗଲା।

Leave A Reply

Your email address will not be published.