ପୁରୀରେ ଥମୁନି ଦାଦାବଟି ଦୌରାତ୍ମ୍ୟ; ଟାର୍ଗେଟ୍‌ରେ ପର୍ଯ୍ୟଟକ, ବ୍ୟବସାୟୀ

ପୁରୀ : ଦାଦାବଟିର ପେଣ୍ଠ ପାଲଟିଛି ପୁରୀ ସହର। ପ୍ରତିଟି ଗଳିକନ୍ଦିରେ ଦାଦାବଟି ମାଫିଆଙ୍କ ଗୁଣ୍ଡାରାଜ ଶାନ୍ତିରେ ରହିବାକୁ ଦେଉନାହିଁ। ବିଶେଷକରି ଶ୍ରୀକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକମାନେ କୁଜି ଗୁଣ୍ଡାମାନଙ୍କର ଟାର୍ଗେଟ୍‌ ପାଲଟିଛନ୍ତି। ରିକ୍ସା ଚାଳକଙ୍କଠୁ ନେଇ ଅଟୋଚାଳକ, ପୁଣି ପାନ ଦୋକାନଠୁ ନେଇ ହୋଟେଲ୍‌ ମାଲିକଙ୍କ ଯାଏ, କେହି ବି ଦାଦାବଟି ମାଫିଆଙ୍କ ଦୌରାତ୍ମ୍ୟରୁ ବାଦ ପଡ଼ୁନାହାନ୍ତି। ବିଡ଼ମ୍ବନା ଏହି ଯେ ପ୍ରତିମାଦ ୭୦ରୁ ୯୦ ଜଣ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ୍‌ ଦ୍ବାରା ଗିରଫ ହେଉଛନ୍ତି। ତଥାପି ଏଥିରେ ରୋକ୍‌ ଲାଗୁନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦାଦାବଟି ଆଦାୟ ଭଳି ଅପରାଧରେ ସାମିଲ୍‌ ହେଉଥିବା ଅପରାଧୀମାନେ ପ୍ରାୟତଃ ଯୁବକ ଏବଂ ନିଶାଗ୍ରସ୍ତ ବ୍ୟକ୍ତି। ନିଶା ସେବନ ଭଳି ବ୍ୟାଧିର ଚକ୍ରବ୍ୟୁହରେ ପଡ଼ି ଏଭଳି କାଣ୍ଡ ଭିଆଇ ଚାଲିଛନ୍ତି। ପୁଲିସ ଦ୍ବାରା ଗିରଫ ହୋଇ କୋର୍ଟଚାଲାଣ ହେଉଛନ୍ତି। ବଡ଼ ଅପରାଧୀମାନେ ସେମାନଙ୍କୁ ହାତ ବାରିସି କରି କେବଳ ସାହସ ଦେଉନାହାନ୍ତି, ବରଂ ଜାମିନ ମଧ୍ୟ କରାଇ ଆଣୁଛନ୍ତି। ଜେଲ୍‌ରୁ ବାହାରିବା ପରେ ସେମାନେ ପୁଣି ଛୁରି ଦେଖାଇ ଭୟଭୀତ କରି ଦାଦାବଟି ଆଦାୟ କିମ୍ବା ଚୋରି କରୁଛନ୍ତି। ଗତ ୬ ମାସ ମଧ୍ୟରେ୪ ଶହରୁ ଅପରାଧୀଙ୍କୁ ପୁଲିସ ଦାଦାବଟି ଆଦାୟ ଅପରାଧରେ ଗିରଫ କରିଛି। କିନ୍ତୁ ସେମାନେ ପୁଲିସ୍‌କୁ ଚ୍ୟାଲେଞ୍ଜ୍‌ ଦେଇ ବଟି ଆଦାୟ କରୁଛନ୍ତି। ଚୋର ପୁଲିସ୍‌ର ଏହି ଧରପଗଡ଼ ଭିତରେ ମାନସିକ ଓ ଆର୍ଥିକ ଯନ୍ତ୍ରଣା ଭୋଗୁଛନ୍ତି ସାଧାରଣ ଜନତା। ଦାଦାବଟି ଆଦାୟ କରୁଥିବା ଅପରାଧୀମାନେ ମୁଖ୍ୟତଃ ଶ୍ରୀକ୍ଷେତ୍ରର ପ୍ରବେଶ ପଥ ନିକଟରେ ପର୍ଯ୍ୟଟକଙ୍କୁ ଟାର୍ଗେଟ୍‌ କରୁଛନ୍ତି।

Leave A Reply

Your email address will not be published.