ମେଡ଼ିକାଲ କଲେଜରେ ଚାଲିଥିଲା ରାଗିଂ, ଫିଲ୍ମ ଷ୍ଟାଇଲ୍‌ରେ ପର୍ଦ୍ଦାଫାସ କଲେ ମହିଳା ପୁଲିସ

ନୂଆଦିଲ୍ଲୀ: ମେଡିକାଲ କଲେଜରେ ଦୀର୍ଘ ଦିନ ହେବ ଚାଲିଥିଲା ରାଗିଂ ପ୍ରଥା। ଏନେଇ ଅଭିଯୋଗ ମିଳିବା ପରେ ପୂରା ଫିଲ୍ମ ଷ୍ଟାଇଲ୍‌ରେ ଏହାର ପର୍ଦ୍ଦାଫାସ କରିଛନ୍ତି ମହିଳା ପୁଲିସ ଅଧିକାରୀ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଇନ୍ଦୋର ଏମ୍‌ଜିଏମ୍ ମେଡିକାଲ କଲେଜରୁ। ଜିନ୍ସ ଟପ୍ ଆଉ କାନ୍ଧରେ ବ୍ୟାଗ୍। ପୂରାପୁରି କଲେଜ ଯୁବତୀଙ୍କ ଗେଟ୍‌ଅପ୍‌ରେ ୨୪ ବର୍ଷୀୟ ମହିଳା ପୁଲିସ ଅଧିକାରୀ ଶାଳିନୀ ଚୌହାନ। ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ସେ କଲେଜ କ୍ୟାଣ୍ଟିନରେ ବସୁଥିଲେ। କଲେଜ ପିଲାଙ୍କୁ ସହ ମିଳାମିଶା କରୁଥିଲେ। ଶେଷରେ ଏହି ବ୍ଲାଇଣ୍ଡ ରାଗିଂ ମାମଲରେ ସେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲେ। ନିଜ ସାଥୀଙ୍କ ସହ ମିଶି ରାଗିଂ ପ୍ରଥାର ପର୍ଦ୍ଦାଫାଶ କରିଛନ୍ତି। ପ୍ରମାଣ ଏକାଠି କରିବା ପରେ ୧୧ ଛାତ୍ରଛାତ୍ରୀଙ୍କ ବିରୋଧରେ ସେ ମାମଲା ରୁଜୁ କରିଛନ୍ତି । ଏଥିସହ ଏମାନଙ୍କୁ କୋର୍ଟରେ ମଧ୍ୟ ହାଜର କରାଯାଇଛି। ଅଭିଯୁକ୍ତ ୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ ଜଣ ମଧ୍ୟପ୍ରଦେଶର, ଜଣେ ପଶ୍ଚିମବଙ୍ଗ ଓ ଆଉ ଜଣେ ବିହାର ଥିବା ଜଣାପଡିଛି। ରାଗିଂ ଘଟଣାର ସାମ୍ନାକୁ ଆସିବା ପରେ ସମସ୍ତ ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ପ୍ରଶାସନ ତିନି ମାସ ପାଇଁ ନିଲମ୍ବିତ କରିଛନ୍ତି।ଉଲ୍ଲେଖଯୋଗ୍ୟ, ଇନ୍ଦୋରର ମହାତ୍ମା ଗାନ୍ଧି ସ୍‌ମୃତି ଚିକିତ୍ସା ମହାବିଦ୍ୟାଳୟରେ ରାଗିଂର ବହୁ ଚର୍ଚ୍ଚିତ ମାମଲାର ଖୁଲାସା କରିବା ପାଇଁ ୨୪ ବର୍ଷୀୟ ମହିଳା ପୁଲିସ ଅଧିକାରୀଙ୍କୁ ଏମ୍‌ବିବିଏସ୍ ଛାତ୍ର ସଜାଇ ଏହି କଲେଜକୁ ପଠାଯାଇଥିଲା। ପୁଲିସର କହିବା ମୁତାବକ, ପୀଡିତା ଛାତ୍ରୀଙ୍କ ଦ୍‌ବାରା ବିଶ୍ୱବିଦ୍ୟାଳୟର ହେଲ୍‌ପଲାଇନ୍ ନମ୍ବରରୁ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଲା ପୁଲିସ। ଏହାପରେ ଜୁଲାଇ ୨୪ ତାରିଖରେ ବିଦ୍ୟାଳୟର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା।

Leave A Reply

Your email address will not be published.