ଗୋଧ୍ରା ଟ୍ରେନ୍‌ ପୋଡ଼ି: ୧୭ବର୍ଷ ଜେଲରେ ଥିବା ଜଣେ ଦୋଷୀକୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଅହମ୍ମଦାବାଦ (ଗୁଜୁରାଟ): ୨୦୦୨ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣାରେ ଆଜି ସୁପ୍ରିମକୋର୍ଟ ଜଣେ ଦୋଷୀକୁ ଜାମିନ ପ୍ରଦାନ କରିଛନ୍ତି। ଏହି ଘଟଣାରେ ୫୯ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଘଟିବା ସମୟରେ ଟ୍ରେନ ବଗିରୁ ଯାତ୍ରୀଙ୍କୁ ବାହାରକୁ ଆସିବାକୁ ଦେଇନଥିବା ଦୋଷୀ ଫାରୁକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେ ଗତ ୧୭ବର୍ଷ ଧରି ଜେଲରେ ଥିବା ବେଳେ ଗୁଜରାଟ ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ ସୁପ୍ରିମକୋର୍ଟ ଆଜି ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି। ଜଳୁଥିବା ଟ୍ରେନ ଉପରକୁ ଫାରୁକ୍ ପଥର ଫିଙ୍ଗି ଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଫାରୁକ୍ ଟ୍ରେନ ଉପରକୁ ପଥର ଫିଙ୍ଗିଥିଲେ ଯାହାଦ୍ୱାରା ଲୋକମାନେ ଜଳୁଥିବା ଟ୍ରେନରୁ ନଓହ୍ଲାଇ ପାରି ମୃତ୍ୟୁବରଣ କରିବେ। ଫାରୁକକୁ ଜାମିନ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଦୋଷୀ ଫାରୁକ୍ ୨୦୦୪ମସିହାରୁ ଜେଲରେ ଅଛନ୍ତି। ସେ ଗତ ୧୭ବର୍ଷ ଧରି ଜେଲରେ ଥିବାରୁ ତାଙ୍କୁ ଜାମିନରେ ଜେଲରୁ ମୁକ୍ତ କରାଯାଉଛି। ଖ୍ରୀଷ୍ଟମାସ ଛୁଟି ପରେ ଜାନୁଆରି ୨୦୨୩ରେ ସମାନ ମାମଲାରେ ଅବଶିଷ୍ଟ ୧୭ଦୋଷୀଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଉଲ୍ଲେଖଯୋଗ୍ୟ, ୨୦୦୨ ଫେବ୍ରୁଆରି ୨୭ ତାରଖରେ ଗୁଜୁରାଟର ଗୋଧ୍ରା ରେଳ ଷ୍ଟେସନରେ କେତକ ଦୁର୍ବୃତ୍ତ ସାବରମତୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ୫୯ ଜଣଙ୍କର ମୁତ୍ୟୁ ଘଟିବା ପରେ ସମଗ୍ର ଗୁଜୁରାଟରେ ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା ଏବଂ ଦଙ୍ଗାରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.