ମେହରୁଲି ଜଙ୍ଗଲରୁ ମିଳିିଥିବା ହାଡ ଶ୍ରଦ୍ଧାଙ୍କର, ବାପାଙ୍କ ଡିଏନଏ ସହ ମିଶିଲା

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। କିଛି ଦିନ ତଳେ ମେହରୁଲି ଜଙ୍ଗଲରୁ ପୁଲିସକୁ କିଛି ହାଡ ମିଳିଥିବା ବେଳେ ଏବେ ତାହା ଶ୍ରଦ୍ଧା ୱାକରଙ୍କର ବୋଲି ସ୍ପଷ୍ଟ ହୋଇଛି। ହାଡ ଖଣ୍ଡଗୁଡ଼ିକୁ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ସହିତ ମିଶା ଯାଇଥିବା ବେଳେ ଡିଏନଏ ମେଳ ଖାଉଥିବା ସାମ୍ନାକୁ ଆସିଛି। ଫରେନସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଶ୍ରଦ୍ଧାଙ୍କୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରେମିକ ଅଫତାବ ପୁନାୱାଲାକୁ ଗିରଫ କରି ପଚରାଉଚରା କରିଥିଲା। ଏହି ସମୟର ଶ୍ରଦ୍ଧାଙ୍କୁ ୩୫ଖଣ୍ଡ କରି ଅଫତାବ ମେହରୁଲି ଜଙ୍ଗଲ ଓ ଗୁରୁଗ୍ରାମରେ ଫିଙ୍ଗିଥିବା କଥା ପୁଲିସକୁ କହିଥିଲା। ଏହି ସୂଚନା ପାଇ ପୁଲିସ ଯାଞ୍ଚ କରିବା ପରେ ମେହରୁଲି ଜଙ୍ଗଲରୁ କିଛି ହାଡ ପୁଲିସକୁ ମିଳିଥିଲା। ତେବେ ହାଡଟି ଶ୍ରଦ୍ଧାଙ୍କର କି ନାହିଁ ଜାଣିବା ପାଇଁ ଏହାର ଡିଏନଏ ପରୀକ୍ଷା କରାଯାଇଥିଲା। ଏବେ ଏହାର ରିପୋର୍ଟ ଆସିବା ପରେ ହାଡର ଡିଏନଏ ସହ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ମିଶିଥିବା ଜଣାପଡ଼ିଛି। ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ପୁଲିସ କମିସନର କହିଛନ୍ତି ଯେ, ଶ୍ରଦ୍ଧା ହତ୍ୟା ମାମଲାରେ ଫରେନସିକ ଲ୍ୟାବରୁ ଆମକୁ ଡିଏନଏ ରିପୋର୍ଟ ମିଳିଛି। ଏହି ରିପୋର୍ଟ ପୁଲିସ ପାଇଁ ବହୁତ ଉପଯୋଗୀ ହେବ। ରୋହିଣୀ ଲ୍ୟାବରୁ ପଲିଗ୍ରାଫ ପରୀକ୍ଷା ରିପୋର୍ଟ ମଧ୍ୟ ଆମକୁ ମିଳିଛି। ତାହା ମଧ୍ୟ ଅନୁସନ୍ଧାନରେ ସହାୟକ ହେବ।

Leave A Reply

Your email address will not be published.