ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା: ୧୭ ବର୍ଷ ଜେଲରେ ରହିବା ପରେ ଦୋଷୀକୁ ମିଳିଲା ଜାମିନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଗୋଧ୍ରା ଟ୍ରେନ ପୋଡ଼ି ଘଟଣାର ଜଣେ ଦୋଷୀକୁ ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ବ୍ୟକ୍ତି ଜଣକ ଗୋଧ୍ରା ଟ୍ରେନ ପୋଡ଼ି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୧୭ ବର୍ଷ ହେଲା ଜେଲରେ ରହିଥିଲା। ଏତେ ବର୍ଷ ହେଲାଣି ସେ ଜେଲରେ ଥିବାରୁ ସୁପ୍ରିମକୋର୍ଟ ତା’କୁ ଜାମିନ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଦ୍ୱାରା ଜାମିନ ପାଇଥିବା ବ୍ୟକ୍ତି ଜଣକ ହେଉଛି ଫାରୁକ ଓରଫ ହାଜି ଭୂରିୟୋ ଅବଦୁଲ ସାତର ଇବ୍ରାହିମ ଗାଜି। ସେ ହିଁ ୨୦୦୨ ମସିହା ଫେବୃଆରୀ ୨୭ରେ ଲୋକଙ୍କୁ ଉସକାଇବା ସହ ସାବରମତି ଏକ୍ସପ୍ରେସର କୋଚ୍‌ ନମ୍ବର ଏସ୍‌ ୬କୁ ପଥର ମାଡ଼ କରିଥିଲା।ଟ୍ରେନରେ ନିଆଁ ଲାଗିଥିବା ବେଳେ ସେ ଏପରି ଘଟଣା ଘଟାଇଥିଲା। ଫଳରେ ୫୯ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଘଟଣା ପରେ ପୁଲିସ୍‌ ୨୦୦୪ ଫାରୁକକୁ ଗିରଫ କରିଥିଲା। ମାମଲାର ବିଚାରକରି କୋର୍ଟ ତା’କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିପାଇଁ ଦୀର୍ଘ ୧୭ ବର୍ଷ ହେଲା ସେ ଜେଲରେ ରହିଥିଲା। କିନ୍ତୁ ଏବେ କୋର୍ଟ ତାକୁ ଜାମିନ ଦେଇଛନ୍ତି।ଜାମିନର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଫାରୁକି କେବଳ ଜଣେ ପଥର ଫିଙ୍ଗାଳୀ ନଥିଲା। ସେ ଲୋକମାନଙ୍କୁ ଟ୍ରେନର କୋଚ୍‌କୁ ପଥର ମାଡ଼ କରିବାକୁ ଉସକାଇଥିଲେ। ପଥର ମାଡ଼ ଯୋଗୁ ନିଆଁ ଲାଗିଥିବା ଟ୍ରେନରୁ ଲୋକମାନେ ଠିକ୍‌ ଭାବେ ବାହାରକୁ ଆସି ପାରି ନଥିଲେ। ସେ ଜାଣିଶୁଣି ଏପରି କରିଥିଲା। ଫଳରେ ଅଧିକରୁ ଅଧିକ ଲୋକ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। କେବଳ ସେତିକି ନୁହେଁ, ଫାରୁକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ଯାଉଥିବା ବେଳେ ଏଥିରେ ବାଧା ସୃଷ୍ଟି କରିଥିଲା ବୋଲି ଶ୍ରୀ ମେହେଟା ଯୁକ୍ତି ରଖି ଜାମିନକୁ ବିରୋଧ କରିଥିଲେ। ତେବେ ସର୍ବୋଚ୍ଚ ଅଦାଲତ ଫାରୁକକୁ ଜାମିନ ଦେଇଛନ୍ତି।

Leave A Reply

Your email address will not be published.